ବ୍ରହ୍ମପୁର, ୧୭/୩(ସୁବାସ ଚନ୍ଦ୍ର ପାଢ଼ୀ): ବିଦ୍ୟୁତ ତାର ଆଘାତରେ ଜଣେ ରଙ୍ଗମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ସଦର ଥାନା ଅନ୍ତର୍ଗତ ଲାଠୀ ଗ୍ରାମ କୁମ୍ଭାର ସାହିର ସନ୍ତୋଷ କୁମାର ବେହେରା(୫୨)। ଖବରପାଇ ତାଙ୍କର ପୁଅ ପୂର୍ଣଚନ୍ଦ୍ର ବେହେରା ଓ ଗ୍ରାମର କିଛି ଲୋକ ସେଠାରେ ପହଞ୍ଚିଥିଲେ। ରାସ୍ତା ଉପରେ ବାପାଙ୍କ ମୃତଦେହ ରଖି ରାସ୍ତାରୋକୋ କରିଛନ୍ତି। ମୃତକଙ୍କ ପୁଅଙ୍କୁ ନିଯୁକ୍ତି ଦାବିରେ ଗ୍ରାମବାସୀ ଦୀର୍ଘଘଣ୍ଟା ଧରି ରାସ୍ତା ଉପରେ ବସି ରହିଛନ୍ତି। ଉକ୍ତ ରାସ୍ତାଟି ମୁଖ୍ୟ ରାସ୍ତା ହୋଇଥିବାରୁ ଉଭୟ ପଟରୁ ଯାତାୟାତ କରୁଥିବା ଶତାଧିକ ଯାନବାହନ ଅଟକି ରହିଥିବା ବେଳେ ସାଧାରଣ ଲୋକଙ୍କ ଯାତାୟାତ ବନ୍ଦ ରହିଛି। ସେଠାରେ ପରିସ୍ଥିତି ଉତ୍ତେଜନା ରହିଛି। ଗୋଶାଣିନୁଆଗାଁ ପୋଲିସ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ରାସ୍ତାରୋକୋ ହଟିନାହିଁ।
ଘଟଣାରୁ ପ୍ରକାଶ ଯେ ,ଉକ୍ତ ସନ୍ତୋଷ ଜଣେ ରଙ୍ଗମିସ୍ତ୍ରୀ । ସେ କିଛିଦିନ ହେଲା ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ଶିବାନନ୍ଦ ନଗରରେ ଜଣେ ଲୋକଙ୍କ ଘରେ ରଙ୍ଗ କାମ କରୁଥିଲେ। ସୋମବାର ଅପରାହ୍ନରେ ସେ ଉକ୍ତ ବ୍ୟକ୍ତିଙ୍କ ଛାତରେ ରଙ୍ଗ ଦେଉଥିଲେ। ହେଲେ ଉକ୍ତ ଛାତ ଉପର ଦେଇ ଯାଇଥିବା ଏକ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ସେ ଆସି ଗୁରୁତର ଭାବେ ଛିଟିକି ପଡ଼ିଥିଲେ। ଘର ମାଲିକ ମୃତ ସନ୍ତୋଷଙ୍କ ପୁଅକୁ ଏନେଇ ଜଣାଇଥିଲେ। ପରେ ସେ ଗ୍ରାମର ଲୋକମାନଙ୍କ ସହ ସେଠାରେ ପହଞ୍ଚିଥିଲେ।