ଚିତ୍ରଶିଳ୍ପୀମାନେ ସୃଜନଶୀଳ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥା’ନ୍ତି। ସେମାନେ କେଉଁଥିରେ ସୀମିତ ନ ଥାଆନ୍ତି। ତାଙ୍କ ସୃଜନଶୀଳତାର କିଛି ସୀମା ନ ଥାଏ। ସେମାନେ କାହାକୁ ବି ରଙ୍ଗ ଭାବେ ଓ ଯେକୌଣସି ଜିନିଷକୁ କାନ୍ଭାସ୍ ଭାବେ ବ୍ୟବହାର କରି ଆଙ୍କିପାରନ୍ତି ମନଲୋଭା ପେଣ୍ଟିଂ। ଠିକ୍ ଯେମିତି ଫିଲିପାଇନ୍ସ, ମାନିଲାର ଚିତ୍ରଶିଳ୍ପୀ ବ୍ରେଣ୍ଡା ଡେଲଗାଡୋ। ସେ ଯେଉଁ ଜିନିଷକୁ କାନ୍ଭାସ୍ ଭାବେ ବ୍ୟବହାର କରିଛନ୍ତି, କେହି କେବେ ସେଭଳି କାନ୍ଭାସ୍ ବ୍ୟବହାର କରିବା କଥା ଚିନ୍ତା କରିପାରିବେନି। କାରଣ ସେ ମଲା ଅସରପା ଉପରେ ପେଣ୍ଟିଂ କରନ୍ତି। ଅସରପାକୁ ଦେଖିଲେ କିଏ ଡରନ୍ତି ତ କିଏ ଘୃଣା କରନ୍ତି। ହେଲେ ବ୍ରେଣ୍ଡା ତାକୁ କାନଭାସ୍ଭାବେ ବ୍ୟବହାର କରନ୍ତି। ସେଥିରେ ସେ ପ୍ରସିଦ୍ଧ ପେଣ୍ଟିଂ ଯେମିତିକି ମୋନାଲିସା, ଷ୍ଟେରି ନାଇଟ୍, ଗର୍ଲ ଉଇଥ୍ ପର୍ଲ ଇୟରିଂର ମିନିଏଚର୍ ପେଣ୍ଟିଂ କରନ୍ତି। ଦିନେ ସେ ମଲା ଅସରପାକୁ ଝାଡୁ କରି ଫିଙ୍ଗିବାବେଳେ ଲକ୍ଷ୍ୟ କଲେ ଯେ, ଅସରପାର ଡେଣାଗୁଡ଼ିକ କେତେ ଚମକ୍ଦାର ଓ ମୁଲାୟମ। ତେଣୁ ସେ ତା’ ଉପରେ ପେଣ୍ଟିଂ କରିବାକୁ ମନ ବଳାଇଲେ। ଆଉ ଅଏଲ୍ ପେଣ୍ଟ ବ୍ୟବହାର କରି ବେଶ୍ ନିଖୁଣଭାବେ ପେଣ୍ଟିଂ କରିବା ଆରମ୍ଭ କଲେ। ସେବେଠାରୁ ସେ ଏହି ଧାରା ବଜାୟ ରଖିଛନ୍ତି। ତାଙ୍କର ଏହି କଳାକୃତିକୁ କିଏ ପ୍ରଶଂସା କରୁଛନ୍ତି ତ ଆଉ କିଏ ନିନ୍ଦା ବି କରୁଛନ୍ତି।