ସ୍ବାଦ ବାରିବା କାମ ଜିଭ କରିଥାଏ। କଥା କହିବାରେ ବି ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଜାଣନ୍ତିକି ଜଣେ ବ୍ୟକ୍ତି ତାଙ୍କ ଜିଭକୁ ରଙ୍ଗ ତୂଳୀଭାବେ ବ୍ୟବହାର କରି ପେଣ୍ଟିଂ ବି କରିପାରନ୍ତି। ଆମେରିକାର ନିକ୍ ଷ୍ଟୋଏବରଲ ନାମକ ଏହି ଯୁବକ ଜିଭରେ ରଙ୍ଗ ଆଣି କାନ୍ଭାସ୍ରେ ଚମତ୍କାର ଚିତ୍ର କରିପାରନ୍ତି। କେବଳ ସେତିକି ନୁହେଁ, ତାଙ୍କ ଜିଭକୁ ପୃଥିବୀର ସବୁଠାରୁ ଲମ୍ବା ଜିଭର ମାନ୍ୟତା ବି ମିଳିଛି। ସାଧାରଣ ମଣିଷର ଜିଭର ଲମ୍ବ ୭.୯ ସେ.ମିରୁ ୮.୫ ସେମି ପର୍ଯ୍ୟନ୍ତ ହୋଇଥାଏ। ହେଲେ ନିକ୍ଙ୍କ ଜିଭର ଲମ୍ବ ୧୦.୧ ସେ.ମି. ଅଟେ। ତେଣୁ ତାଙ୍କ ଜିଭ ଗିନିଜ୍ ଓ୍ବାର୍ଲଡ ରେକର୍ଡସ୍ରେ ସବୁଠାରୁ ଲମ୍ବା ଜିଭ ଭାବେ ସ୍ଥାନ ପାଇଛି। ପିଲାଦିନେ କିନ୍ତୁ ଲମ୍ବା ଜିଭ ପାଇଁ ସାଙ୍ଗମାନେ ତାଙ୍କୁ ଖୁବ୍ ଚିଡାଉଥିଲେ। ହେଲେ ସେହି ଜିଭକୁ ନେଇ ସେ ହୋଇପାରିଛନ୍ତି ରେକର୍ଡଧାରୀ। ଆଉ ପାଇଛନ୍ତି ଭିନ୍ନ ଏକ ପରିଚୟ। ଏହାବାଦ୍ ସେ ନିଜ ଜିଭକୁ ନେଇ କିଛି ଭିନ୍ନ କରିବାକୁ ଯାଇ ଚିତ୍ର କରିବା ବି ଆରମ୍ଭ କରିଥିଲେ। ଆଉ କିଛି ଦିନର ଅଭ୍ୟାସ ପରେ ଏବେ ସେ ଜିଭରେ ବେଶ୍ ସୁନ୍ଦର ପେଣ୍ଟିଂ କରିପାରୁଛନ୍ତି। ତାଙ୍କ ପେଣ୍ଟିଂ ଭଲ ଦାମରେ ବିକ୍ରି ମଧ୍ୟ ହେଉଛି।