ବାଂଲାଦେଶ ସୀମାରେ ନିୟୋଜିତ ଥିବା ବିଏସ୍ଏଫ୍ ଯବାନଙ୍କୁ ଏକ ଦୁର୍ଲଭ ପକ୍ଷୀ ମିଳିଛି, ଯାହାର ଦାମ୍ ୧୫ ଲକ୍ଷ ଟଙ୍କା। କଥାଟି ବିଶ୍ୱାସଯୋଗ୍ୟ ନ ହେଲେ ମଧ୍ୟ ସତ। ପକ୍ଷୀଟି ବେଲିଜର ରାଷ୍ଟ୍ରୀୟ ପକ୍ଷୀ ବୋଲି ଜଣାପଡ଼ିଛି।
ଅଗଷ୍ଟ ୧୩ରେ ଯବାନମାନେ ଗୁପ୍ତଚର ସୂଚନା ପାଇ ସୀମା ନିକଟବର୍ତ୍ତୀ ହଲଦର ପାରା ଗାଁ ପଛରେ ଥିବା ଜଙ୍ଗଲ ପାଖରେ ଖୋଜାଖୋଜି କରୁଥିଲେ। ଏହି ସମୟରେ ଯବାନମାନେ ବାଉଂଶ ବୁଦା ପଛପଟେ ଦୁଇଜଣ ସନ୍ଦିଗ୍ଧ ଲୋକଙ୍କୁ ଦେଖିଥିଲେ। ଯବାନମାନେ ସେମାନଙ୍କ ପାଖରେ ପହଞ୍ଚିବା ବେଳକୁ ସେମାନେ ଭାରତୀୟ ଗାଁ ପଟକୁ ଦୌଡ଼ିଥିଲେ। ଏହି ସମୟରେ ତାଙ୍କ ପାଖରେ ଏକ ପଞ୍ଜୁରୀ ଥିଲା। ହେଲେ ଯବାନମାନଙ୍କ ସେମାନଙ୍କ ପଛରେ ଯିବାରୁ ସେମାନେ ପଞ୍ଜୁରୀଟିକୁ ତାଙ୍କ ଉପରକୁ ଫିଙ୍ଗି ଦେଇ ଚାଲିଯାଇଥିଲେ। ପରେ ପଞ୍ଜୁରୀରେ ଦୁଇଟି ଟୁକେନ୍ ପକ୍ଷୀ ଥିବା ଦେଖିବାକୁ ମିଳିଥିଲା। ଏହି ପ୍ରଜାତି ଦକ୍ଷିଣ ମେକ୍ସିକୋରୁ ଆରମ୍ଭ କରି କଲମ୍ବିଆ ପର୍ଯ୍ୟନ୍ତ ଜଙ୍ଗଲରେ ଦେଖିବାକୁ ମିଳିଥାଏ। ଅନ୍ତରାଷ୍ଟ୍ରୀୟ ବଜାରରେ ଏହାର ଦାମ ୧୫ଲକ୍ଷରୁ ଅଧିକ ଟଙ୍କା ହେବ। ତେବେ ଉଦ୍ଧାର ପରେ ପକ୍ଷୀମାନଙ୍କୁ କୋଲକାତା ଅଲିପୁରରେ ଥିବା ଜୁଲୋଜିକାଲ ଗାର୍ଡେନକୁ ହସ୍ତାନ୍ତର କରାଯାଇଛି।