କେନ୍ଦୁଝର,୨୬।୫(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ତାପମାତ୍ରା 40 ଡିଗ୍ରୀ ଟପିଥିବା ବେଳେ ପ୍ରବଳ ଗରମରେ ଲୋକ ମାନେ ସଢୁଛନ୍ତି। ଏଭଳି ପରିସ୍ଥିତିରେ ଜିଲା ମୁଖ୍ୟ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଗର୍ଭବତୀ ମହିଳା ଓ ଶିଶୁ ଗରମ ରେ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି। ଓ୍ବାର୍ଡରେ ଫ୍ୟାନ୍ ଓ ଏସି ଲାଗିଛି। କିନ୍ତୁ ଏସି ସବୁ ଅଚଳ ହୋଇ ପଡିଥିଲେ ହେଁ ସଜଡା ଯାଉ ନ ଥିବାରୁ ନବଜାତ ଶିଶୁ ଓ ଗର୍ଭବତୀ ମହିଳାମାନେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି। ଅର୍ଥର ଅଭାବ ନ ଥିବା ବେଳେ ଏସବୁ ଏସି କାହିଁକି ସଜଡା ଯାଉନାହିଁ ସେ ନେଇ ନାନା ପ୍ରଶ୍ନ ଉଠୁଛି। ନିମ୍ନ ମାନର ଏସି ଲଗାଯାଇଥିବା କାରଣରୁ ଏଭଳି ଅଚଳ ହୋଇଯାଇଥିବା ଅଭିଯୋଗ ହେଉଛିା ଅନ୍ୟ ପକ୍ଷରେ ପ୍ରବଳ ଖରାକୁ ଆଖିରେ ରଖି ଯୋଗାଣ କାରୀ ସଂସ୍ଥା ବା ମେଡିକାଲ ପ୍ରଶାସନ ପକ୍ଷରୁ ରକ୍ଷଣା ବେକ୍ଷଣ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ସେହିପରି ସ୍ଥାନ ଅଭାବରୁ ବାରଣ୍ଡାରେ ଅର୍ଥାତ ରୁମ୍ ବାହାରେ ବେଡ୍ ପକାଇ ରୋଗୀ ଓ ନବଜାତ ଶିଶୁଙ୍କୁ ରଖାଯାଉଥିବା ବେଳେ ଅନେକ ବାରଣ୍ଡାରେ ତଳେ ଶୋଇ ଚିକିତ୍ସିତ ହେବାକୁ ବାଧ୍ୟ ହେଉଛନ୍ତିା ସିଡିଏମଓ ଡାକ୍ତର କିଶୋର ଚନ୍ଦ୍ର ପୃଷ୍ଟିଙ୍କୁ ଏନେଇ ପଚାରିବାରୁ ସେ କହିଛନ୍ତି, ଯେତିକି ବେଡ୍ ରହିଛି ତା’ଠାରୁ ବହୁ ଅଧିକ ରୋଗୀ ଆସୁଥିବାରୁ ଏଭଳି ସମସ୍ୟା ଦେଖାଦେଉଛି।