ଅନାସ୍ଥା ପ୍ରସ୍ତାବ ପୂର୍ବରୁ ପାକ୍‌ ପାର୍ଲାମେଣ୍ଟ ମୁଲତବୀ

ଇସ୍‌ଲାମାବାଦ,୨୫।୩: ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ଲାଗି ବିରୋଧୀ ଦଳଗୁଡ଼ିକ କିଛିଦିନ ହେଲା ସଜବାଜ ହେବା ସହ ପାର୍ଲାମେଣ୍ଟ ସଚିବାଳୟକୁ ନୋଟିସ ଦେଇଥିଲେ। ଶୁକ୍ରବାର ଏଥିପାଇଁ ନ୍ୟାଶନାଲ ଆସେମ୍ବ୍ଲିର ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଡକାଯାଇଥିଲା।

ତେବେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ବିନା ଗୃହକୁ ମୁଲତବୀ ରଖାଯାଇଛି। ବିରୋଧୀ ଏମ୍‌ପିମାନେ ଏହାର ଜୋର୍‌ଦାର ପ୍ରତିବାଦ କରିଛନ୍ତି। ଫେବୃୟାରୀ ୧୪ରେ ପରଲୋକ ହୋଇଥିବା ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ ଏମ୍‌ପି ଖୟାଲ ଜମାନଙ୍କ ପାଇଁ ଅଧିବେଶନକୁ ମାର୍ଚ୍ଚ ୨୮ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରାଗଲା ବୋଲି ବାଚସ୍ପତି ଅସାଦ କାଇସର ଘୋଷଣା କରିଥିଲେ। ଫଳରେ ବିରୋଧୀ ନେତାମାନେ ହଟ୍ଟଗୋଳ କରିବା ସହ ଅନାସ୍ଥା ପ୍ରସ୍ତାବ ଆଣିବା ଲାଗି ସୁଯୋଗ ଦେବାକୁ ଅନୁରୋଧ କରିଥିଲେ। ହେଲେ ବାଚସ୍ପତି ନିଜ ଚାମ୍ବରକୁ ଚାଲିଯାଇଥିଲେ। ପରବର୍ତ୍ତୀ ଅଧିବେଶନରେ ଅନାସ୍ଥା ପ୍ରସ୍ତାବ ଆଣିବା ଲାଗି ନିଷ୍ପତ୍ତି ନିଆଯାଇଥିବା ବାଚସ୍ପତି କହିଛନ୍ତି।

Share