ଆଇଏସ୍‌ଆଇ ମୁଖ୍ୟଙ୍କୁ ହଟାଇବାକୁ ଚାହୁଁଛି ପାକ୍‌ ସେନା

ଇସ୍‌ଲାମାବାଦ, ୨୩ା୯: ତାଲିବାନ୍‌ ସରକାରରେ ପାକିସ୍ତାନର ହସ୍ତକ୍ଷେପ ଯୋଗୁ ଆଫଗାନିସ୍ତାନରେ ଅସ୍ଥିରତା ଦେଖାଦେଇଛି। ତାଲିବାନ୍‌ ସରକାରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିବାକୁ ପାକ୍‌ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ମୁଖ୍ୟ ଫୈଜ ହମିଦ ଯୋଜନା ଚଳାଇଥିବାବେଳେ ସେନା ମୁଖ୍ୟ କମର ଜାଭେଦ ବାଜ୍‌ଓ୍ବାଙ୍କ ସହ ବିବାଦ ଉପୁଜିଛି। ଏପରି କି ହମିଦ୍‌ଙ୍କୁ ପଦରୁ ହଟାଇବାକୁ ବାଜଓ୍ବା ଚେଷ୍ଟା କରୁଥିବା ଗୋଇନ୍ଦା ବିଭାଗ ସୂତ୍ରରୁ ଜଣାପଡ଼ିଛି। ତେବେ ସ୍ପାଏ ଏଜେନ୍ସି ଉପରେ ହମିଦ୍‌ଙ୍କ ଅଧିକ ପ୍ରଭାବ ଯୋଗୁ ବାଜ୍‌ଓ୍ବାଙ୍କ ଉଦ୍ୟମ ସଫଳ ହୋଇପାରୁ ନାହିଁ।
ବର୍ଷ ଧରି ଆଇଏସ୍‌ଆଇ ତାଲିବାନୀଙ୍କୁ ଦାୟିତ୍ୱ ନେବା ସହ ସେମାନଙ୍କୁ ଆଫଗାନିସ୍ତାନ ମାଟିରେ ନିଜ ସ୍ବାର୍ଥ ପୂରଣ ଉଦ୍ଦେଶ୍ୟରେ ବ୍ୟବହାର କରିଆସିଛି। ଏବେ ତାଲିବାନ୍‌ ସେଠାରେ ସରକାର ଗଢ଼ିଥିବାବେଳେ ସେଠାକାର ନିଷ୍ପତ୍ତି ଉପରେ ପାକ୍‌ ସେନାର ପ୍ରଭାବ ରହୁ ବୋଲି ବାଜଓ୍ବା ଚାହୁଁଛନ୍ତି। କିନ୍ତୁ ହମିଦ୍‌ ତାହା କରାଇ ଦେଉ ନ ଥିବା ଜଣାପଡ଼ିଛି। ତାଲିବାନ୍‌ର ପ୍ରମୁଖ ନେତା ଓ ସଦସ୍ୟଙ୍କ ସହ ଆଇଏସ୍‌ଆଇର ସିଧାସଳଖ ଲିଙ୍କ୍‌ ରହିଛି। ଆଫଗାନିସ୍ତାନରେ ଆଇଏସ୍‌ଆଇର ପ୍ରମୁଖ ଲଢ଼ୁଆ ଏବଂ ରଣନୀତିକାର ମଧ୍ୟ ରହିଛନ୍ତି। ଆଫଗାନିସ୍ତାନକୁ ଆସୁଥିବା ଅର୍ଥ ଓ ସହାୟତାରେ ଆଇଏସ୍‌ଆଇ ନିଜର ଭାଗ ଚାହୁଁଛି। ସେପଟେ ବାଜଓ୍ବା ମଧ୍ୟ ସେଠାରେ ନିଜ ପ୍ରଭାବ ବଢ଼ାଇବାକୁ ଉଦ୍ୟମ କରୁଥିବାବେଳେ ହମିଦ୍‌ ତାଙ୍କୁ ରୋକୁଥିବା ଜଣାଯାଇଛି। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅନ୍ତର୍କନ୍ଦଳ ସୃଷ୍ଟି ହୋଇଛି।

Share