ମାଲାଲାଙ୍କୁ ଧମକ ଦେଇ ପାକ୍‌ ମୌଲବୀ ଗିରଫ

ପେଶାଓ୍ବର, ୧୧।୬(ପି.ଟି.):ନୋବେଲ ପୁରସ୍କାର ବିଜେତା ମାଲାଲା ୟୁସୁଫ୍‌ଜାଇଙ୍କୁ ଆକ୍ରମଣ ଧମକ ଦେଇଥିବା ପାକିସ୍ତାନର ଜଣେ ମୌଲବୀଙ୍କୁ ଗିରଫ କରାଯାଇଛି। ଖାଇବର ପଖ୍‌ତୁନ୍‌ଖ୍ବା ପ୍ରଦେଶ ମରଓ୍ବାତ ଜିଲାର ମୌଲବୀ ମୁଫ୍‌ତି ସର୍ଦ୍ଦାର ଅଲି ହାକ୍କାନିଙ୍କ ଘର ଉପରେ ବୁଧବାର ପୋଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ଆତଙ୍କବାଦ ନିରୋଧୀ ଆଇନ ଅନୁଯାୟୀ ଏତଲା ଦାଏର ହୋଇଛି। ପେଶାଓ୍ବରରେ ଏକାଠି ହୋଇ ମାଲାଲାଙ୍କୁ ଆକ୍ରମଣ କରିବା ପାଇଁ ମୁଫ୍‌ତି ଏକ ଭିଡିଓ ବାର୍ତ୍ତାରେ ଲୋକମାନଙ୍କୁ ଉସୁକାଉଥିଲେ। ମାଲାଲା ପାକିସ୍ତାନରେ ପହଞ୍ଚତ୍ବା ମାତ୍ରେ ସେ ତାଙ୍କ ଉପରେ ପ୍ରଥମେ ଆତ୍ମଘାତୀ ଆକ୍ରମଣ ଉଦ୍ୟମ କରିବେ ବୋଲି ମୁଫ୍‌ତି ଉକ୍ତ ଭିଡିଓରେ କହୁଥିବା ଦେଖାଯାଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନାରୀ ଶିକ୍ଷାର ପ୍ରସାର ପାଇଁ ଉଦ୍ୟମ ଚଳାଇଥିବା ୨୩ ବର୍ଷୀୟ ମାଲାଲା ନିକଟରେ ଏକ ପତ୍ରିକାକୁ ସାକ୍ଷାତ୍‌କାର ଦେବା ଅବସରରେ ବିବାହକୁ ବିରୋଧ କରି ମନ୍ତବ୍ୟ ଦେଇଥିଲେ। ଉକ୍ତ ପ୍ରସଙ୍ଗରେ ତାଙ୍କ ପରିବାର ସ୍ପଷ୍ଟୀକରଣ ଦେବା ଲାଗି ପିପିପି ଏବଂ ମୁତ୍ତାହିଦା ମଜଲିସ୍‌-ଇ-ଅମଲ ପକ୍ଷରୁ ଆହ୍ବାନ ଦିଆଯାଇଥିଲା।

Share