Advertisement

କୁଳଭୂଷଣ ଅଧ୍ୟାଦେଶ’ ଆଣିବେ ପାକ୍‌ ସରକାର

ଇସ୍‌ଲାମାବାଦ,୨୮।୭: ବିରୋଧୀ ଦଳ ଦ୍ୱାରା ସମାଲୋଚିତ ହୋଇଥିବା ଇମ୍ରାନ ଖାନ୍‌ ସରକାର ପାକିସ୍ତାନ ଜାତୀୟ ଆସେମ୍ବ୍ଲିରେ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ) ସମୀକ୍ଷା ଓ ପୁନର୍ବିଚାର ଅଧ୍ୟାଦେଶ ୨୦୨୦ ଆଣିବା ଆଶା କରାଯାଉଛି। ପାକିସ୍ତାନ ଜେଲ୍‌ରେ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ରାୟ ବିରୋଧରେ ହାଇକୋର୍ଟରେ ଅପିଲ୍‌ କରିବା ପାଇଁ ଏହି ଅଧ୍ୟାଦେଶ ଅନୁମତି ଦେବ। ଗତବର୍ଷ ଜୁନ୍‌ରେ ଆଇସିଜେ ଦେଇଥିବା ରାୟ ପରିପ୍ରେକ୍ଷୀରେ ଏଭଳି ଅଧ୍ୟାଦେଶ ଜରୁରୀ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପାକିସ୍ତାନର ସାମରିକ ଅଦାଲତ କୁଳଭୂଷଣଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିବାବେଳେ ଏହା ବିରୋଧରେ ଅପିଲ ପାଇଁ ତାଙ୍କୁ ସୁଯୋଗ ଦେବା ସହ ଦୂତାବାସ ଜରିଆରେ ଆଇନଗତ ସହାୟତା ଯୋଗାଇଦେବା ପାଇଁ ଆଇସିଜେ ଇସ୍‌ଲାମାବାଦକୁ ନିର୍ଦ୍ଦେଶ ଦେଇଥିଲେ। କୁଳଭୂଷଣ ଜଣେ ଭାରତୀୟ ଗୁପ୍ତଚର ଓ ସେ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ୍‌ (ର) ପାଇଁ କାର୍ଯ୍ୟ କରୁଥିଲେ ବୋଲି ପାକିସ୍ତାନ ଅଭିଯୋଗ କରିଆସୁଛି। ଏପରିସ୍ଥଳେ ଅଧ୍ୟାଦେଶ ଆଣିବା କୁଳଭୂଷଣଙ୍କ ପ୍ରତି ଦଣ୍ଡ କମାଇବାକୁ ସୁଯୋଗ ଦେବ ବୋଲି ବିରୋଧୀ ଦଳଗୁଡ଼ିକ କହିଛନ୍ତି। ଏହା ଜାତୀୟ ସୁରକ୍ଷା ପ୍ରସଙ୍ଗ ହୋଇଥିବାରୁ ବିରୋଧୀ ଦଳଗୁଡ଼ିକ ପାର୍ଲାମେଣ୍ଟର ଉଚ୍ଚ ସଦନରେ ଏହାକୁ ଜୋର୍‌ଦାର ବିରୋଧ କରିବାକୁ ଯୋଜନା କରିଛନ୍ତି। ଦୃଢ଼ ବିରୋଧ ଯୋଗୁ ମେ’ ମାସରେ ସରକାର ଏହି ଅଧ୍ୟାଦେଶ ଉପସ୍ଥାପନ କରିବାରେ ଦୁଇଥର ବିଫଳ ହୋଇଥିଲେ। ତେଣୁ ନିମ୍ନ ସଦନରେ ଏହାକୁ ଗୃହୀତ କରାଇବା ସରକାରଙ୍କ ପାଇଁ ବଡ଼ ପ୍ରସଙ୍ଗ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share