ଇସଲାମାବାଦ,୨୩ ।୨: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ବେଳକୁ ବେଳ ଆହୁରି ଦେବାଳିଆ ହେବାରେ ଲାଗିଛି । ଏବେ ପାକିସ୍ତାନର ମନ୍ତ୍ରୀ ଓ ଅଧିକାରୀଙ୍କ ବେତନ ଓ ଭତ୍ତାରେ କାଟଛାଟ ହେବ ବୋଲି ଘୋଷଣା କରାଯାଇଛି । ଏହି କାଟଛାଟ ଫଳରେ ଶହବାଜ ସରକାର ପ୍ରତିବର୍ଷ ୨୦୦ ଅରବ ଟଙ୍କା ବଞ୍ଚାଇ ପାରିବାର ଯୋଜନା ରହିଛି । ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ନିଜେ ଏହା ଘୋଷଣା କରିଛନ୍ତି ।
ଇସଲାମାବାଦରେ ବୁଧବାର ସଂଘିୟ କ୍ୟାବିନେଟର ବୈଠକ ପରେ, ମିଡିଆ ସହ କଥା ହୋଇ ଶହବାଜ କହିଛନ୍ତି, ସମସ୍ତ ସଂଘିୟ ମନ୍ତ୍ରୀଙ୍କୁ ଏବେ ନିଜର ବିଜୁଳି, ଗ୍ୟାସ ଓ ପାଣିର ବିଲ ଭରିବାକୁ ପଡିବ । ଶହବାଜ ଜୋର ଦେଇ କହିଛନ୍ତି, ବଢିଚାଲିଥିବା ଦରଦାମ ଓ ଋଣ ସହିତ ଦେଶର ଆର୍ଥିକ ଚ୍ୟାଲେଞ୍ଜକୁ ମୁକାବିଲା କରିବାକୁ ଏମିତି କରିବା ଜରୁରୀ ଥିଲା । ସେ କହିଛନ୍ତି ସରକାର ଆର୍ଥିକ ସ୍ଥିରତା ଫେରାଇ ଆଣିବାକୁ ପ୍ରତିବଦ୍ଧ ।