Categories: ଜାତୀୟ

ପାର୍ବଣରେ ରକ୍ତପାତ ଚକ୍ରାନ୍ତରେ ଥିଲେ ଆତଙ୍କବାଦୀ

ନୂଆଦିଲ୍ଲୀ, ୧୪।୯: ଆଗକୁ ଆସୁଥିବା ପାର୍ବଣରେ ବିଭିନ୍ନ ରାଜ୍ୟରେ ବଡ଼ ଧରଣର ବିସ୍ଫୋରଣ ଯୋଜନା କରିଥିଲେ ଆତଙ୍କବାଦୀ। ତେବେ ସେମାନଙ୍କ ଯୋଜନାକୁ ପଣ୍ଡ କରିଦେଇଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ। ବିଭିନ୍ନ ରାଜ୍ୟରୁ ୬ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି, ସେମାନଙ୍କ ମଧ୍ୟରୁ ଦୁଇ ଜଣ ନିକଟରେ ପାକିସ୍ତାନରୁ ଟ୍ରେନିଂ ସାରି ଭାରତ ଫେରିଥିବା ପୋଲିସ ପକ୍ଷରୁ କୁହାଯାଇଛି।

ଗୁପ୍ତଚର ଏଜେନ୍ସି ଠାରୁ ସୂଚନା ପାଇବା ପରେ ଦିଲ୍ଲୀ, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ଖୋଳତାଡ଼ କରିଥିଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌। ସକାଳେ ଚଢ଼ାଉବେଳେ ରାଜସ୍ଥାନର କୋଟା ଅଞ୍ଚଳରୁ ଜଣଙ୍କୁ ଓ ୟୁପି ଆଣ୍ଟି ଟେରର୍‌ ସ୍କାଡ୍‌ (ଏଟିଏସ୍‌) ସହାୟତାରେ ୩ ଜଣଙ୍କୁ ଗିରଫ କରାଯାଇଥିଲା। ଅନ୍ୟ ଦୁଇ ଜଣ ଦିଲ୍ଲୀରେ ଧରା ପଡ଼ିଛନ୍ତି ବୋଲି ସ୍ପେଶାଲ ସେଲର ବରିଷ୍ଠ ଅଧିକାରୀ ନୀରଜ ଠାକୁର କହିଛନ୍ତି।

ପଚରାଉଚୁରା ବେଳେ ଗିରଫ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ ପାକିସ୍ତାନରେ ଟ୍ରେନିଂ ସାରି ବୋଟ୍‌ରେ ମସ୍କଟ ଯାଇଥିଲେ। ପାକିସ୍ତାନରେ ସେମାନଙ୍କୁ ୧୫ ଦିନ ଧରି ଏକ ଫାର୍ମ ହାଉସରେ ରଖି ଟ୍ରେନିଂ ଦିଆଯାଇଥିଲା ବୋଲି ସ୍ପେଶାଲ ସେଲର ବରିଷ୍ଠ ଅଧିକାରୀ କହିଛନ୍ତି।

Share