Categories: ଜାତୀୟ

ଏୟାର ସ୍ପେସ୍‌ ଦେବାକୁ ମନାକଲା ପାକ୍‌

ନୂଆଦିଲ୍ଲୀ, ୪ା୧୧: ୦ଜମ୍ମୁ-କଶ୍ମୀରର ଶ୍ରୀନଗରରୁ ଶାର୍‌ଜା ପର୍ଯ୍ୟନ୍ତ ‘ଗୋ ଫାଷ୍ଟ୍‌’ ବିମାନ ଚଳାଚଳ ପାଇଁ ନିଜ ଆକାଶମାର୍ଗ ବ୍ୟବହାର ପାଇଁ ପାକିସ୍ତାନ ମନା କରିଦେଇଛି। ପାକ୍‌ର ଏହି ନିଷ୍ପତ୍ତି ଯୋଗୁ ଅହମଦାବାଦ୍‌ର ଉଦୟପୁର ଏବଂ ଓମାନ୍‌ ଦେଇ ଶ୍ରୀନଗରରୁ ଶାର୍‌ଜା ଯିବାକୁ ଅଧିକ ୧ ଘଣ୍ଟା ସମୟ ଲାଗିବ। ଏଥିସହ ଅତିରିକ୍ତ ଭଡ଼ା ମଧ୍ୟ ଦେବାକୁ ପଡ଼ିବ। ପାକିସ୍ତାନର ଏପରି କଟକଣାକୁ ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ୨୦୦୯-୧୦ରେ ମଧ୍ୟ ଶ୍ରୀନଗରରୁ ଦୁବାଇ ଯିବାକୁ ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନକୁ ପାକିସ୍ତାନ ବାଟ ଛାଡ଼ି ନ ଥିଲା ବୋଲି ଅବଦୁଲ୍ଲା ଟୁଇଟ୍‌ କରିଛନ୍ତି।
ବର୍ଷ ପରେ ଏହି ଉପତ୍ୟକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ପାଇଁ ଗତ ଅକ୍ଟୋବର ୨୩ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶେଖ୍‌ ଉଲ୍‌-ଆଲମ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଶ୍ରୀନଗର-ଶାରଜାହ ବିମାନର ଶୁଭାରମ୍ଭ କରିଥିଲେ। ସେତେବେଳେ ମଧ୍ୟ ପାକିସ୍ତାନ ଏହି ଅନୁମତି ଦେବାକୁ ନେଇ ପ୍ରଶ୍ନ ଉଠିଥିଲା। ଫ୍ଲାଇଟ ଉଡ଼ାଣ ପାଇଁ ପାକିସ୍ତାନଠାରୁ ଅନୁମତି ପାଇବା ନିମନ୍ତେ କେନ୍ଦ୍ର ସରକାର କୌଣସି ଉଦ୍ୟମ କରି ନ ଥିଲେ ବୋଲି ପିଡିପି ମୁଖ୍ୟ ତଥା ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି କହିଛନ୍ତି। ଭିତ୍ତିଭୂମି ପ୍ରସ୍ତୁତ ନ କରି କେବଳ ପ୍ରଚାର ପାଇଁ ଏପରି କରାଯାଇଥିବା କହି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ୨୦୦୯ ଫେବୃୟାରୀ ୧୪ରେ ପ୍ରଥମେ ଶ୍ରୀନଗର ବିମାନବନ୍ଦରରୁ ଦୁବାଇକୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ଚଳାଚଳ ଆରମ୍ଭ ହୋଇଥିଲା। ତେବେ ଚାହିଦା ଅଭାବରୁ ତାହା ବନ୍ଦ ହୋଇଯାଇଥିଲା।

 

Share