ଇସ୍ରୋ ପୂର୍ବରୁ ଆରମ୍ଭ ହୋଇଛି ପାକିସ୍ତାନର ସ୍ପେସ ଏଜେନ୍ସି, ୬୨ବର୍ଷରେ ଲଞ୍ଚ କରିଛି କେବଳ ୫ଟି ସାଟେଲାଇଟ

ନୂଆଦିଲ୍ଲୀ/ଇସଲାମବାଦ,୨୬।୮: ଚନ୍ଦ୍ରାବତରଣ କରିଛି ଭାରତ। ଦକ୍ଷିଣ ମେରୁରେ ଚନ୍ଦ୍ରାବତରଣ କରି ଇତିହାସ ରିଚିଛି। ଭାରତର ଚନ୍ଦ୍ର ମିଶନ ଚନ୍ଦ୍ରାୟନ ୩ର ସଫଳତାକୁ ସାରା ବିଶ୍ୱରେ ଆଲୋଚନା ହେଉଛି। ଖାସ୍‌ କରି ଆମ ପଡୋଶୀ ଦେଶ ପାକିସ୍ତାନରେ ଏନେଇ ଅଧିକ ଚର୍ଚ୍ଚା ହେଉଛି। ପାକିସ୍ତାନୀ ନିଜ ଦେଶକୁ ପରିହାସ କରିବାରେ ଲାଗି ପଡିଛନ୍ତି। ସାଧାରଣ ଲୋକ ହୁଅନ୍ତୁ କିମ୍ବା ପାକିସ୍ତାନର ଗଣମାଧ୍ୟମ ପାକିସ୍ତାନର ପରିହାସ କରୁଛନ୍ତି।

ତେବେ ଏଠାରେ କହି ରଖୁଛୁ ଭାରତେଇlସ୍ରୋ ପ୍ରତିଷ୍ଠା ହେବା ପୂର୍ବରୁ ପାକିସ୍ତାନରେ ସ୍ପେସ ଏଜେନ୍ସି ପ୍ରତିଷ୍ଠା କରାଯାଇଥିଲା। କିନ୍ତୁ କିନ୍ତୁ ଏହା ଆଜି ଯାଏଁ ଗୋଟିଏ ବି ସଫଳତା ହାସଲ କରିପାରି ନାହିଁ। ଭାରତର ସ୍ପେସ ଏଜେନ୍ସି ପୂର୍ବରୁ ପାକିସ୍ତାନରେ ସ୍ପେସ ଏଜେନ୍ସି (ସୁପରକୋ) ପ୍ରତିଷ୍ଠା କରାଯାଇଥିଲା। ସ୍ପେସ ଆଣ୍ଡ ଅପର ଆଟମୋସ୍ପିଅର ରିସର୍ଚ୍ଚ ୧୬ ସେପ୍ଟେମ୍ବର ୧୯୬୧ରେ ପ୍ରତିଷ୍ଠା ହୋଇଥିବାବେଳେ ୧୯୬୯ରେ ଇସ୍ରୋ ପ୍ରତିଷ୍ଠା କରାଯାଇଥିଲା।

ସୁପରକୋ ୧୯୬୨ ମସିହାରେ ମହାକାଶକୁ ରକେଟ ଉତକ୍ଷେପଣ କରିଥିଲା। ତେବେ ମହାକାଶ ମିଶନ କରିବାକୁ ପାକିସ୍ତାନ ମହାକାଶ ସଂସ୍ଥା ବନ୍ଦ କରି ଦେଇଥିଲା କାରଣ ପାକିସ୍ତାନ ସରକାର ଏଜେନ୍ସି ପ୍ରତି ଧ୍ୟାନ ଦେଉ ନ ଥିଲେ।

୬୨ ବର୍ଷର ସ୍ପେସ ଏଜେନ୍ସି ଇତିହାସରେ ପାକିସ୍ତାନ କେବଳ ୫ ଟି ସାଟେଲାଇଟ ଉତକ୍ଷେପଣ କରିଛି। ପ୍ରଥମ ସାଟେଲାଇଟ ୧୯ ଜୁଲାଇ ୧୯୯୦ରେ ଛଡାଯାଇଥିଲା। ଯାହାର ନାମ ଥିଲା ବଦ୍ର-୧। ଏହି ସାଟେଲାଇଟ କେବଳ ୬ମାସ ଯାଏଁ କାମ କରି ପାରିଲା। ଏହା ପରେ, ୧୦ ଡିସେମ୍ବର ୨୦୦୧ରେ ଦ୍ୱିତୀୟ ସାଟେଲାଇଟ ଉତକ୍ଷେପଣ କରାଯାଇଥିଲା, ଯାହାର ନାମ ବଦ୍ର-ବି ଥିଲା।

ଚାଇନା ସହାୟତାରେ ତୃତୀୟ ସାଟେଲାଇଟ ଲଞ୍ଚ କରାଯାଇଥିଲା। ପିଏକେଏଟି-୧ ୧୧ ଅଗଷ୍ଟ ୨୦୧୧ରେ ଲଞ୍ଚ କରାଯାଇଥିଲା। ତେବେ ଶେଷ ଓ ପଞ୍ଚମ ସାଟେଲାଇଟ ପାକିସ୍ତାନ ୯ ଜୁଲାଇ ୨୦୧୮ରେ ଚାଇନା ସହାୟତାରେ ଉତକ୍ଷେପଣ କରିଥିଲା। ଏହା ପରେ ପାକିସ୍ତାନ କୌଣସି ସାଟେଲାଇଟ ଲଞ୍ଚ କରିନାହିଁ।

ତେବେ ଆରମ୍ଭରୁ ପାକିସ୍ତାନ ନିଜକୁ ଏକ ସୁପର ପାୱାର୍‌ କରିବାକୁ ସ୍ଥିର କରିଥିଲା। ଏହି କାରଣରୁ ସେ ଏକ ସ୍ପେସ ଏଜେନ୍ସି ସ୍ଥାପନ କରି ରକେଟ ଉତକ୍ଷେପ କରିବା ଆରମ୍ଭ କରିଥିଲା। ଆମେରିକାର ସାହାଯ୍ୟରେ ପାକିସ୍ତାନ ସ୍ପେସ୍‌ ଏଜେନ୍ସି ଆରମ୍ଭ ତ କରିଥିଲା। ହେଲେ ପଡୋଶୀ ଦେଶକୁ ନେଇ ଅସ୍ଥିରତା ଓ ସରକାର ଏବଂ ସେନା ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଦେଶରେ ଅର୍ଥନୈତିକ ସହ ରାଜନୈତିକ ସଙ୍କଟ ମଧ୍ୟ ଘନେଇବାରେ ଲାଗିଲା। ପାକିସ୍ତାନ ସାମରିକ ଶକ୍ତି ବୃଦ୍ଧି ଏବଂ କ୍ଷେପଣାସ୍ତ୍ର ପରୀକ୍ଷଣରେ ଅଧିକ ଖର୍ଚ୍ଚ କରିଥିଲା। ତେବେ ଆଜି ଭାରତର ସ୍ପେସ ଏଜେନ୍ସିର ପାଣ୍ଠି ପାକିସ୍ତାନ ତୁଳନାରେ ପ୍ରାୟ ୭୦ ଗୁଣ ଅଧିକ।

 

Share