Categories: ଜାତୀୟ

ରାଜୌରୀ ଆକ୍ରମଣ ଘଟଣା: ନିଜକୁ ଦାୟୀ କଲା ପାକ୍‌ ଆତଙ୍କବାଦୀ ସଂଗଠନ

ଶ୍ରୀନଗର,୧୪।୮:ଜମ୍ମୁ-କଶ୍ମୀରର ରାଜୌରୀସ୍ଥିତ ସେନା କ୍ୟାମ୍ପ୍‌ ଉପରେ ଗତ ଗୁରୁବାର ହୋଇଥିବା ଆତ୍ମଘାତୀ ଆକ୍ରମଣ ପାଇଁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ (ପିଏଏଫ୍‌ଏଫ୍‌) ନିଜକୁ ଦାୟୀ କରିଛି। ଏହି ସଂଗଠନ ପକ୍ଷରୁ ଶନିବାର ସନ୍ଧ୍ୟାରେ ଏକ ପ୍ରଚାର ଭିଡିଓ ଜାରି କରାଯାଇଛି। ଚଳିତ ବର୍ଷ ଭାରତ ଆୟୋଜନ କରିବାକୁ ଥିବା ଜି-୨୦ ସମିଟ୍‌ ଏହାର ପରବର୍ତ୍ତୀ ଟାର୍ଗେଟ ବୋଲି ସଂଗଠନ କହିଛି।
ଗତ ୧୧ ତାରିଖରେ ୨ ଆତଙ୍କବାଦୀ ରାଜୌରୀସ୍ଥିତ ଭାରତୀୟ ସେନା କ୍ୟାମ୍ପ୍‌ରେ ପ୍ରବେଶ କରି ଆତ୍ମଘାତୀ ଆକ୍ରମଣ କରିବା ଲାଗି ଉଦ୍ୟମ କରିଥିଲେ। ସୁରକ୍ଷା ବଳର ଗୁଳିମାଡ଼ରେ ସେମାନେ ନିହତ ହୋଇଥିଲେ। ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ୪ ଯବାନ ଶହୀଦ ହେବା ସହ ଅନ୍ୟ ୫ ଜଣ ଆହତ ହୋଇଥିଲେ। ପିଏଏଫ୍‌ଏଫ୍‌ ଇଦ୍‌ ପାଇଁ ଏକ ସ୍ବତନ୍ତ୍ର ବାର୍ତ୍ତାରେ ବଡ଼ ଆକ୍ରମଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ରାଜୌରୀରେ ତାହା କରି ଦେଖାଇଲା ବୋଲି ଭିଡିଓରେ କୁହାଯାଇଛି।

Share