Advertisement

ଜୀବନ ଧନ ମୋ ପଖାଳ କଂସା

ଭୁବନେଶ୍ୱର,୨୦ା୩(ସୌମ୍ୟରଞ୍ଜନ ରାଉତ): ଓଡ଼ିଆ ଜନଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା। ପ୍ରତ୍ୟେକ ଓଡ଼ିଆର ପ୍ରାଣର ପ୍ରତୀକ ହେଉଛି ପଖାଳ। ଗାଁ ହେଉ କି ସହର ଯେଉଁଠାରେ ରୁହନ୍ତୁନା କାହିଁକି ଓଡ଼ିଆ ଲୋକଙ୍କର ପଖାଳ ପ୍ରତି ଥିବା ଲାଳସା କେବେବି କମ୍‌ ହୋଇ ନ ଥାଏ। ତେଣୁ ଓଡ଼ିଆ ସଂସ୍କୃତିରେ ପଖାଳର ଗୁରୁତ୍ୱକୁ ଆହୁରି ବଢ଼ାଇବା ପାଇଁ ମାର୍ଚ୍ଚ ୨୦କୁ ପଖାଳ ଦିବସ ରୂପେ ପ୍ରତିବର୍ଷ ପାଳନ କରାଯାଉଛି। ଏହି ଦିନରେ ପଖାଳର ମହତ୍ତ୍ବକୁ ନେଇ ସ୍ବର୍ଗତ ବାଳକୃଷ୍ଣ ଦାସଙ୍କ ‘ଆସ ଜୀବନ ଧନ ମୋ ପଖାଳ କଂସା’ ଗୀତ ମନେପଡ଼ିଯାଉଛି।
ଗଁାରେ ଥିବା ଝୁମ୍ପୁଡ଼ି ଘର ହାଣ୍ଡିଶାଳର ଶୋଭା ବଢ଼ାଉଥିବା ପଖାଳ ମୋହରେ କେବଳ ମଣିଷ ପଡ଼ିନାହାନ୍ତି, ସ୍ବୟଂ ପ୍ରଭୁ ଶ୍ରୀଜଗନ୍ନାଥ ବି ପଖାଳ ମୋହରେ ମୋହିତ। ସେଥିପାଇଁ ତ ବର୍ଷସାରା ଦାରୁଦିଅଁଙ୍କ ପାଖରେ ପଖାଳର ଭୋଗ ପରଷା ହେଉଛି। ଜଗନ୍ନାଥଙ୍କ ଛପନ ଭୋଗ ମଧ୍ୟରେ ପାଖଳର ସ୍ଥାନ ସର୍ବଦା ସ୍ବତନ୍ତ୍ର ରହିଛି। ବର୍ତ୍ତମାନର ଫାଷ୍ଟଫୁଡ୍‌ ଯୁଗରେ ବି ଏହାର ଆଦର କମିନାହିଁ। ସହରର ଚାକଚକ୍ୟ ସହ ଦେଶୀ, ବିଦେଶୀ ଖାଦ୍ୟ ଭିତରେ ରାଜଧାନୀବାସୀ ପଖାଳକୁ ବେଶ୍‌ ଖୋଜୁଛନ୍ତି। ବିଶେଷକରି ଏବେ ପ୍ରବଳ ଖରା ହେଉଥିବାରୁ ଲୋକଙ୍କର ପ୍ରଥମ ପସନ୍ଦ ପଖାଳ ପାଲଟିଛି। ଫଳରେ ସହରର ଛୋଟଠାରୁ ବଡ଼ ବଡ଼ ତାରକା ହୋଟେଲରେ ପଖାଳର କ୍ରେଜ୍‌ ରହିଛି।
ବର୍ତ୍ତମାନ ସମୟରେ ପଖାଳର ଅଧିକ ଡିମାଣ୍ଡ ରହୁଥିବାରୁ ଲୋକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଦହି ପଖାଳ, ସଜ ପଖାଳ, ଛୁଙ୍କ ପଖାଳ, ଖଟା ପଖାଳ ଏବଂ ପରିବା ପଖାଳ ପରି ଅନେକ କିସମର ପଖାଳ ଉପଲବ୍ଧ ହେଉଛି। ସୋରିଷ, ଶୁଖିଲା ଲଙ୍କା, ଭୃସଙ୍ଗପତ୍ର ସହ ଦହି ଛୁଙ୍କଦିଆ ପଖାଳର କ୍ରେଜ୍‌ ସବୁଠି ଅଧିକ ରହିଥିବା ଦେଖାଯାଉଛି। ଦହି ପଖାଳ ସଙ୍ଗକୁ ଶାଗ ଭଜା, ଛତୁ ଭଜା, ବାଇଗଣ ଭର୍ତ୍ତା, ବଡ଼ିଚୂରା ଓ ଭଜା ଖାଇବାର ମଜାକୁ ବଢ଼ାଇ ଦେଉଛି। ସେହିପରି ଆମିଷ ଖାଉଥିବା ଲୋକଙ୍କ ପାଇଁ ଚୂନା ଓ ବଡ଼ ମାଛ ଭଜା, କୁକୁଡ଼ା ମାଂସ ଭଜା ଓ ପତ୍ରପୋଡ଼ା ରହିଥିବା ନିୟୁ ମ୍ୟାରିୟନ ହୋଟେଲ ପକ୍ଷରୁ କୁହାଯାଇଛି। ଏଠାରେ ନିରାମିଷ ପଖାଳ ପ୍ଲେଟ୍‌ର ମୂଲ୍ୟ ୬୫୦ ଟଙ୍କା ରହିଥିବା ବେଳେ ଆମିଷ ପଖାଳର ମୂଲ୍ୟ ୭୫୦ ଟଙ୍କା ରହିଛି। ସେହିଭଳି ରାଜଧାନୀରେ ପଖାଳର ହବ୍‌ କୁହାଯାଉଥିବା ଏକାମ୍ର ହାଟରେ ମଧ୍ୟ ଏବର୍ଷ ନିରାମିଷ ପଖାଳ ୧୨୦ ଟଙ୍କାରୁ ୧୪୦ ଟଙ୍କା ପର୍ଯନ୍ତ ରହିଛି। ସ୍ବସ୍ତି ପ୍ରିମିୟମ୍‌ରେ ପଖାଳ ଦିବସରେ ସ୍ପେଶାଲ ପଖାଳ ରହିଛି। ଆମିଷ ପଖାଳ ପ୍ଲେଟ୍‌ର ମୂଲ୍ୟ ୯୯୯ ରହିଥିବାବେଳେ ସାଦା ମୂଲ୍ୟ ୮୯୯ ଟଙ୍କା ରହିଛି। ହୋଟେଲ ଶୀତଲରେ ନିରାମିଷ ପଖାଳର ମୂଲ୍ୟ ୫୫୦ ରହିଥିବା ବେଳେ ଆମିଷ ୬୦୦ ଚଙ୍କା। ଏଥିରେ ପାଖାପାଖି ୮ରୁ ୯ ପ୍ରକାରର ଆଇଟମ୍‌ ରହୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share