ପଖାଳ ଶରୀରକୁ ରଖେ ସ୍ଲିମ୍‌…

ଓଡ଼ିଶାର ଘରେ ଘରେ ପଖାଳ ଅତି ଆପଣାର। ସକାଳେ ପଖାଳ କଂସାଏ ସହିତ ଶାଗ, ଆଳୁ ବାଇଗଣ ପୋଡ଼ା, ବଡ଼ିଚୁରା ଖାଇଲେ ଦିନସାରା ମନ ପୁରା ଖୁସ୍‌ ରହିଥାଏ। ସେହିପରି ଏହାଦ୍ୱାରା ବହୁବିଧ ଶାରୀରିକ ସମସ୍ୟା ଦୂର ହୋଇଥାଏ ବୋଲି ବିଶେଷଜ୍ଞମାନେ ମତପୋଷଣ କରିଥାନ୍ତି। ଶରୀରରେ ଜଳୀୟ ଅଂଶ ବଜାୟ ରଖିବା ପାଇଁ ପଖାଳ ଅତି ଦରକାରୀ। ଏହା ଦ୍ୱାରା ଶରୀର ସ୍ଲିମ୍‌ ରହିଥାଏ। ୧୦୦ ଗ୍ରାମ୍‌ ଗରମ ଭାତରେ ୧୩୦ କ୍ୟାଲୋରି ରହୁଥିବାବେଳେ ପଖାଳ ଭାତରେ ଏହାର କମି ୬୦ରୁ ୫୨ ପ୍ରତିଶତ ପର୍ଯ୍ୟନ୍ତ ରହିଥାଏ। ସେହିପରି ନିଦ ସମସ୍ୟା ଦୂର କରିବାରେ ପଖାଳର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହା ସହିତ ପଖାଳ ଖାଇଲେ ପାଚନକ୍ରିୟା ସ୍ବାଭାବିକ ଭାବେ କାର୍ଯ୍ୟ କରିଥାଏ। ପଖାଳ ତୋରାଣି ପ୍ରାକୃତିକ ଶୀତଳତା ପ୍ରଦାନକାରୀ ଖାଦ୍ୟ ଭାବେ କାର୍ଯ୍ୟ କରିଥାଏ। ଏହାଦ୍ୱାରା ଶରୀରର ତାପମାତ୍ରା ହ୍ରାସ ପାଇଥାଏ। ଯାବତୀୟ ପେଟ ସମସ୍ୟା ପଖାଳ ଖାଇଲେ ଦୂର ହୋଇଥାଏ। ପଖାଳ ଖାଉଥିବା ଲୋକଙ୍କ ଶରୀରରେ ଏକ ପ୍ରକାର ଚମକ ଆସିଥାଏ। ପଖାଳରେ ଲୌହ, ପୋଟାସିୟମ୍‌, କ୍ୟାଲସିୟମ୍‌ ଆଦି ପ୍ରଚୁର ମାତ୍ରାରେ ରହିଥାଏ। ତେଣୁ ପଖାଳ ଖାଇଲେ ଶରୀର ସୁସ୍ଥ ରହିଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି।