ଦିନକୁ ଦିନ ବଢିବାରେ ଲାଗିଛି ପାକିସ୍ତାନ ଆଫଗାନିସ୍ତାନ ବିବାଦ

ଇସଲାମାବାଦ,୧୯ ।୧୨: ଚଳିତ ମାସରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ବେଳକୁ ବେଳ ତିକ୍ତ ହେବାରେ ଲାଗିଛି । ପାକିସ୍ତାନ ସୀମାରେ ବାରମ୍ବାର ଆତଙ୍କବାଦୀ ଆକ୍ରମଣ ହେତୁ ଆଫଗାନିସ୍ତାନରେ ଶାସକ ତାଲିବାନ ଓ ପାକିସ୍ତାନ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ବଢିବାରେ ଲାଗିଛି । ଗତ ସପ୍ତାହରେ ଚମନ ସୀମାରେ ଆଫଗାନିସ୍ତାନ ପକ୍ଷରୁ ଗୁଳିମାଡ ପରେ ଅତିକମରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ଏହାସହ ଅନେକେ ସାଧାରଣ ନାଗରିକ ଆହତ ହୋଇଥିଲେ । ଚମନ ସୀମା ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟାଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଅବସ୍ଥିତ । ଏହା ପୂର୍ବରୁ ଡିସେମ୍ବର ୧୧ରେ ସେହି ଅଞ୍ଚଳରେ ଆଫଗାନିସ୍ତାନ ପକ୍ଷରୁ ଗୁଳିମାଡ ପରେ ଅତିକମରେ ୭ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା ।
ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫ ଦାବି କରିଛନ୍ତି, ପାକିସ୍ତାନୀ ସେନା ଏହାର ପ୍ରତିଶୋଧ ନେଇଛି । ଯେଉଁଥିରେ ୮-୯ ଜଣ ଆଫଗାନିସ୍ତାନ ସେନା ନିହତ ହୋଇଛନ୍ତି । କିନ୍ତୁ ଆଫଗାନିସ୍ତାନ ଏହା ପ୍ରମାଣ କରିନାହିଁ । ଏହି ଘଟଣା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ରାଗିଯାଇ ଗତ ସପ୍ତାହରେ ଏକ ବିବୃତ୍ତିରେ କହିଛନ୍ତି, ଆଫଗାନିସ୍ତାନରେ ମଧ୍ୟବର୍ତ୍ତିକାଳୀନ ସରକାର ଏଭଳି ଘଟଣା ଯେମିତି ପୁନରାବୃତ୍ତି ନ ହୁଏ ସେଥିପାଇଁ ନିଶ୍ଚିତ କରିବା ଉଚିତ ।
ପାକିସ୍ତାନର ସୁରକ୍ଷା ବିଶେଷଜ୍ଞ କହିଛନ୍ତି, ପାକିସ୍ତାନ ଏବେ ପର୍ଯ୍ୟନ୍ତ ଚେଷ୍ଟା କରୁଛି ବିବାଦକୁ କାବୁ କରିବାକୁ । ଦେଶ ଭିତରେ ଉପୁଜିଥିବା ରାଜନୈତିକ ଓ ଆର୍ଥିକ ସଙ୍କଟ କାରଣରୁ ପାକିସ୍ତାନ ସରକାର ଚାହୁଁଛନ୍ତି ବିବାଦ ଆଉ ଆଗକୁ ନ ବଢୁ ।

Share