ବୁଡିଯିବ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ, ଇନ୍ଧନ ଅଭାବରୁ ବିମାନ ଉଡାଣ ବନ୍ଦ

ଇସଲାମବାଦ,୧୫।୯: ପାକିସ୍ତାନ ବର୍ତ୍ତମାନ ଅର୍ଥନୈତିକ ସଙ୍କଟ ସହ ରାଜନୈତିକ ଅଚଳାବସ୍ଥା ଦେଇ ଗତି କରୁଛି। ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସହ ପନିପରିବା ଓ ପେଟ୍ରୋଲର ଦର ହୁ ହୁ ହୋଇ ବଢି ଚାଲିଛି। ସେହିପରି ଦେଶରେ କାମଚଳା ସରକାର ମଧ୍ୟ ଶାସନ କରୁଛନ୍ତି। ଦେଶ ଏପରି ଦରିଦ୍ର ସ୍ଥିତିର ସାମ୍ନା କରୁଛି ଯେ, ଦେଶରେ ମୁଦ୍ରାସ୍ପିତି ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଏହି ସ୍ଥିତି ଏବେ ପାକିସ୍ତାନର ବୃହତ୍ତମ ବିମାନ ବନ୍ଦର ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସକୁ ମଧ୍ୟ ପ୍ରଭାବିତ କରିଛି। ସୂଚନାନୁସାରେ, ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ଏବେ ବୁଡିବା ସ୍ଥିତିରେ ପହଞ୍ଚିଛି।

ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବର୍ତ୍ତମାନ ବହୁତ ଖରାପ ଆର୍ଥିକ ପରିସ୍ଥିତିର ସମ୍ମୁଖୀନ ହୋଇଛି। ସମ୍ପ୍ରତି ସୂଚନା ଅନୁଯାୟୀ, ବିମାନଗୁଡିକରେ ଇନ୍ଧନ ଭର୍ତ୍ତି ପାଇଁ ଟଙ୍କା ମଧ୍ୟ ନାହିଁ। ଏହି କାରଣରୁ ନିକଟରେ ସାଉଦି ଆରବର ଦମନ ବିମାନବନ୍ଦରରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଗୋଟିଏ ବିମାନକୁ ଅଟକ ରଖାଯାଇଥିଲା। ସେହିପରି ଆଉ ୪ଟି ବିମାନକୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଦୁବାଇ ବିମାନବନ୍ଦରରେ ଅଟକାଯାଇଥିଲା। ବିମାନଗୁଡ଼ିକ ଦ୍ୱାରା ଲିଖିତ ଆଶ୍ୱସନା ଦିଆଯିବା ପରେ ହିଁ ବିମାନଗୁଡ଼ିକୁ ଉଡାଣ ଭରିବାକୁ ଅନୁମତି ଦିଆଯାଇଥିଲା। ଉଭୟ ଦେଶ ପାକିସ୍ତାନର ବନ୍ଧୁ ରାଷ୍ଟ୍ର। ଏହା ସତ୍ତ୍ୱେ ବି ଅନ୍ୟ ଦେଶରେ ପାକିସ୍ତାନ ଅପମାନିତ ହୋଇଛି।

ଗୁରୁବାର ଇନ୍ଧନ ଅଭାବରୁ ଅନେକ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବାକୁ ବାତିଲ କରାଯାଇଥିଲା। ଏଗୁଡିକ କରାଚିରୁ ଉଡାଣ ଭରିଥା’ନ୍ତା। ଏହା ବ୍ୟତୀତ କର୍ମଚାରୀଙ୍କ ଦରମା ମଧ୍ୟ ବନ୍ଦ କରାଯାଉଛି। କେବଳ ଏତିକି ନୁହେଁ, ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଅନେକ ଦେଶର ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ବାକି ଥିବା ରାଶି ଦେଇନାହିଁ।
ଏପରି ପରିସ୍ଥିତିର ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ପାକିସ୍ତାନର ଆର୍ଥିକ ସମନ୍ବୟ କମିଟିକୁ ୨୨୯୦କୋଟି ଟଙ୍କା ଆର୍ଥିକ ସହାୟତା ପାଇଁ ନିବେଦନ କରିଛି। କିନ୍ତୁ ସମନ୍ବୟ କମିଟି ଏହାକୁ ପ୍ରତ୍ୟାଖ୍ୟାନ କରିଛି।

Share