ନୂଆଦିଲ୍ଲୀ,୭।୫: ପାକିସ୍ତାନ ଏୟାରଲାଇନ୍ସର ଏକ ବିମାନ ହଠାତ୍ ଭାରତ ବାୟୁସୀମାରେ ପ୍ରବେଶ କରିଛି। ଏନେଇ ଭାରତରେ ଉତ୍ତେଜନା ଦେଖାଦେଇଥିବା ଜଣାପଡିଛି। ଏହି ପାକିସ୍ତାନୀ ବିମାନ ପ୍ରାୟ ଦଶ ମିନିଟ୍ ପର୍ଯ୍ୟନ୍ତ ଭାରତ ସୀମାରେ ଅଟକି ରହିଥିଲା। ବିମାନ ଭାରତରେ ପ୍ରବେଶ କରିବା ମାତ୍ରେ ସେନାକୁ ସତର୍କ କରାଯାଇଥିଲା। ତେବେ କୌଣସି ପ୍ରକାରର ଘଟଣା ଘଟି ନ ଥିଲା ଏବଂ ଏହି ବିମାନ ଭାରତର ପଞ୍ଜାବରେ ୧୨୦ କିଲୋମିଟର ଉଡ଼ିବା ପରେ ନିଜ ଦେଶରେ ପ୍ରବେଶ କରିଥିଲା।
ରିପୋର୍ଟନୁଯାୟୀ, ପାକିସ୍ତାନର ଲାହୋର ଏୟାରପୋର୍ଟରେ ଭାରୀ ବର୍ଷା କାରଣରୁ ବିମାନ ଅବତରଣ କରିପାରି ନଥିଲା। ଯାହା ପରେ ପାକିସ୍ତାନୀ ବିମାନ ଭୁଲରେ ଭାରତୀୟ ସୀମାରେ ପ୍ରବେଶ କରିଥିଲା। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଗଣମାଧ୍ୟମ ନିଜ ରିପୋର୍ଟରେ କହିଛି, ଯେତେବେଳେ ପାକିସ୍ତାନର ସରମାରୀ ବିମାନ ସେବା କମ୍ପାନୀ ପିକେ-୨୪୮ ବିମାନ ଲାହୋର ବିମାନବନ୍ଦରରେ ମେ’ ୪ତାରିଖ ରାତି ୮ଟାରେ ଅବତରଣ କରିବା ପାଇଁ ସେଠାରେ ପହଞ୍ଚିଥିଲା, ହେଲେ ସେତେବେଳେ ସେଠାରେ ପ୍ରବଳ ବର୍ଷା ଯୋଗୁ ପାଇଲଟ ଏହାକୁ ଅନ୍ୟତ୍ର ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ।