ଇମ୍ରାନ ଖାଁ ଗାଦିଚ୍ୟୁତ ହେବା ପରେ ପାକିସ୍ତାନକୁ ମିଳୁଛି ଲାଭ

ଇସଲାମାବାଦ,୨ ।୫: ଗତ ପ୍ରାୟ ୧ ବର୍ଷ ହେବ ପାକିସ୍ତାନ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏଥିରୁ ବାହାରିବା ପାଇଁ ଚେଷ୍ଟା କରାଯାଉଥିଲେ ବି ଏହା ସଫଳ ହୋଇ ପାରୁନାହିଁ । ଏହି ଆର୍ଥିକ ସଙ୍କଟ ପାଇଁ ହିଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗାଦିଚ୍ୟୁତ ହୋଇଛନ୍ତି । ତେବେ ଇମ୍ରାନ ଖାଁ ଯିବା ପରେ ପାକିସ୍ତାନକୁ ଲାଭ ମିଳୁଛି ବୋଲି ଆଲୋଚନା ହେଲାଣି । ଏବେ ନୂଆ ପ୍ରଧାନମନ୍ତ୍ରୀ ଶେହୱାଜ ଶରିଫ ସୌଦି ଅରବ ନିକଟରୁ ୮ ବିଲିୟନ ଡଲାର ଋଣ ଆଣିବାରେ ସଫଳ ହୋଇଥିବା ଜଣାପଡିଛି । ଏହି ଅର୍ଥରେ ପାକିସ୍ତାନକୁ କିଛି ପରିମାଣରେ ଆଶ୍ୱସ୍ତି ମିଳିବ ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇ ଯାଇଥିଲା । ଏହା ଏତେ ଖରାପ ହୋଇଯାଇଥିଲା କି ସୌଦି ଅରବ ଉଧାର ଦେଇଥିବା ୪.୨ ବିଲିୟନ ଡଲାର ପାକିସ୍ତାନକୁ ଫେରାଇ ଦେବାକୁ କହିଥିଲା । ଆଉ ଏହାପରେ ଇମ୍ରାନଙ୍କ ଖରାପ ସମୟ ଆରମ୍ଭ ହୋଇଯାଇଥିଲା । ବିରୋଧି ଇମ୍ରାନଙ୍କୁ ଗାଦିରୁ ହଟାଇବାକୁ ଚାହିଁଥିଲେ ଓ ଶେଷରେ ସଫଳ ବି ହୋଇଥିଲେ । ଏବେ ଇମ୍ରାନଙ୍କ ପରେ ଶହୱାଜ ଶରିଫ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହେବା ପରେ ସ୍ଥିତିକୁ ସୁଧାରିବାକୁ ଚେଷ୍ଟା କରୁଥିବା କୁହାଯାଉଛି ।

Share