ଇମ୍ରାନଙ୍କ ଗିରଫ ପରେ ଦେଶରେ ଉପୁଜିଥିବା ହିଂସାକୁ ନେଇ ପାକ ସେନା କହିଲା, ଏହା ଦେଶର ଇତିହାସରେ କଳା ଅଧ୍ୟାୟ

ଇସଲାମାବାଦ,୧୧।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ)ର ମୁଖ୍ୟ ଇମ୍ରାନ ଖାଁ ଗିରଫ ହେବା ପରେ ଦେଶରେ ହିଂସା ପରିସ୍ଥିତି ଉପୁଜିଛି। ପାକିସ୍ତାନର ପ୍ରତିଟି ସହରରେ ଇମ୍ରାନଙ୍କ ସମର୍ଥକ ବିରୋଧ ପ୍ରଦର୍ଶନ କରୁଛନ୍ତି। ଉପୁଜିଥିବା ହିଂସାରେ ଏବେ ପର୍ଯ୍ୟନ୍ତ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ପାକିସ୍ତାନ ପୋଲିସ ଓ ସେନାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଶହବାଜଙ୍କ ନିର୍ଦ୍ଦେଶରେ ପାକର ୪ଟିରୁ ୨ଟି ରାଜ୍ୟକୁ ସେନାକୁ ହସ୍ତାନ୍ତର କରିଦିଆଯାଇଛି।

ଇମ୍ରାନଙ୍କ ଗିରଫକୁ ୨୪ ଘଣ୍ଟା ବିତି ଯାଇଥିବା ବେଳେ ଦେଶରେ ଉପୁଜିଥିବା ହିଂସାକୁ ନେଇ ଏବେ ପାକିସ୍ତାନ ସେନାର ବୟାନ ସାମ୍ନାକୁ ଆସିଛି। ପାକିସ୍ତାନ ସେନାର ମିଡିଆ ଓ୍ବିଙ୍ଗ, ଇଣ୍ଟର ସର୍ଭିସେଜ ପବ୍ଲିକ ରିଲେସନ୍ସ(ଆଇଏସପିଆର) ମଙ୍ଗଳବାର ମେ’ ୯ରେ ହୋଇଥିବା ହିଂସାକୁ ଦେଶର ଇତିହାସରେ ଏକ ‘କଳା ଅଧ୍ୟାୟ’ ବୋଲି କହିଛି। ଆଇଏସପିଆର ତା’ର ଟୁଇଟର ହ୍ୟାଣ୍ଡେଲରେ ଉର୍ଦ୍ଦୁରେ ଜାରି କରାଯାଇଥିବା ଏକ ବୟାନରେ କହିଛି, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଗିରଫ ପରେ ହୋଇଥିବା ବିରୋଧ ପ୍ରଦର୍ଶନ ଉଦାହରଣ ଦିଆଯାଇଛି। ଆଇଏସପିଆର କହିଛି, ବିରୋଧ ପ୍ରଦର୍ଶନରେ ବିଶେଷ ଭାବେ ପାକିସ୍ତାନୀ ସେନାର ସମ୍ପତ୍ତି ଓ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇଛି।

Share