ଆତଙ୍କବାଦୀ ଆକ୍ରମଣ ନିଆଁରେ ଜଳୁଛି ପାକିସ୍ତାନ, ବର୍ଷକରେ ୩୮୯ ଲୋକଙ୍କ ମୃତ୍ୟୁ…

ଇସଲାମାବାଦ,୩।୭ : ଆତଙ୍କବାଦୀ ତଥା ଆତ୍ମଘାତୀ ଆକ୍ରମଣ ଘଟଣା ଚଳିତ ବର୍ଷ ପାକିସ୍ତାନରେ ବୃଦ୍ଧି ପାଇବାରେ ଲାଗିଛି। ଅବସ୍ଥା ଏତେ ଖରାପ ଏପର୍ଯ୍ୟନ୍ତ ଏହି ଆକ୍ରମଣ ଯୋଗୁଁ ଦେଶରେ ୩୮୯ ଜଣ ଲୋକଙ୍କ ମୃତ୍ୟୁ ଘଟିଲାଣି।

ପାକିସ୍ତାନ ଇନଷ୍ଟିଚ୍ୟୁଟ ଫର୍‌ କନ୍ଫ୍ଲାଇଟ ଆଣ୍ଡ ସିକ୍ୟୁରିଟି ଷ୍ଟଡିଜ (ପିଆଇସିଏସଏସ) ର ରିପୋର୍ଟ ଆଧାରରେ ଖବର କାଗଜ ଡନ ପକ୍ଷରୁ ଏହି ସୂଚନା ଶେୟାର କରାଯାଇଛି। ରିପୋର୍ଟରେ ଦିଆଯାଇଥିବା ଆକଳନ ଅନୁଯାୟୀ, ପାକିସ୍ତାନରେ ବର୍ଷକରେ ମୋଟ ୨୭୧ ଆକ୍ରମଣ ହୋଇଥିଲା ଯେଉଁଥିରେ ୩୮୯ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୬୫୬ ଜଣ ଆହତ ହୋଇଥିଲେ।

ଗତ ବର୍ଷ ପାକିସ୍ତାନରେ ୧୫୧ ଟି ଆକ୍ରମଣ ହୋଇଥିଲା ଯେଉଁଥିରେ ୨୯୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୮୭ ଜଣ ଆହତ ହୋଇଥିଲେ। ପୂର୍ବ ବର୍ଷ ତୁଳନାରେ ୨୦୨୩ର ପ୍ରଥମାର୍ଦ୍ଧରେ ଆକ୍ରମଣରେ ୭୯ ପ୍ରତିଶତ ବୃଦ୍ଧି ହୋଇଥିବା ଏହି ଆକଳନରୁ ଜଣାପଡିଛି। ୨୦୨୨ର ଦ୍ୱିତୀୟାର୍ଦ୍ଧରେ ୨୨୮ ଆକ୍ରମଣ ରେକର୍ଡ କରାଯାଇଥିଲା। ଫଳସ୍ବରୂପ ୨୪୬ ଜଣଙ୍କର ମୃତ୍ୟୁ ଏବଂ ୩୪୯ ଜଣ ଆହତ ହୋଇଥିଲେ।

ଚଳିତ ବର୍ଷ ୨୦୨୩ର ପ୍ରଥମ ଛଅ ମାସରେ ୨୦୨୨ର ଦ୍ୱିତୀୟାର୍ଦ୍ଧ ତୁଳନାରେ ଆକ୍ରମଣରେ ୧୮ ପ୍ରତିଶତ ବୃଦ୍ଧି ଘଟିଛି। ଏଥିସହ ମୃତ୍ୟୁ ହାର ୫୮ ପ୍ରତିଶତ ଏବଂ ଆହତ ହାର ୮୮ ପ୍ରତିଶତ ବୃଦ୍ଧି ପାଇଛି।

ଏହି ତଥ୍ୟରୁ ଜଣାପଡିଛି ପାକିସ୍ତାନରେ ସୁରକ୍ଷା ବାହିନୀ ଦ୍ୱାରା ୨୩୬ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଡନ ରିପୋର୍ଟ କରିଛି ଯେ ପାକିସ୍ତାନର ଖାଇବର ପାସ୍ତୁନଖ୍ବାରେ ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ୧୭୪ ଟି ଆତଙ୍କବାଦୀ ଆକ୍ରମଣ ଘଟିଥିଲା। ଯେଉଁଥିରେ ୨୬୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୮୩ ଜଣ ଆହତ ହୋଇଥିଲେ।

୨୦୨୩ର ପ୍ରଥମାର୍ଦ୍ଧରେ ବାଲୁଚିସ୍ତାନରେ ୭୫ଟି ଆତଙ୍କବାଦୀ ଘଟଣା ଘଟିଥିଲା ଯେଉଁଥିରେ ୧୦୦ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୧୬୩ ଜଣ ଆହତ ହୋଇଥିଲେ। ତଥ୍ୟ ଦର୍ଶାଉଛି ଗତ ବର୍ଷ ସମାନ ସମୟ ତୁଳନାରେ ଆତଙ୍କବାଦୀ ଆକ୍ରମଣରେ ୧୦୩ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୩ର ପ୍ରଥମ ଛଅ ମାସ ମଧ୍ୟରେ ଆତଙ୍କବାଦୀ ସମ୍ବନ୍ଧୀୟ ଘଟଣା ପଞ୍ଜାବ ପ୍ରଦେଶରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।

Share