ନେପାଳ ରାସ୍ତାରେ ପାକିସ୍ତାନ: ଭାରତର ଏସବୁ ଅଞ୍ଚଳକୁ କହିଲା ନିଜର; ଜାରି କଲା ନୂଆ ମାନଚିତ୍ର

ନୂଆଦିଲ୍ଲୀ,୪।୮: ନେପାଳର ପଥ ଅନୁସରଣ କରୁଛି ପାକିସ୍ତାନ। ପାକିସ୍ତାନର ଇମ୍ରାନ ଖାନ ସରକାର ଦେଶର ବିବାଦୀୟ ମାନଚିତ୍ରକୁ ଅନୁମୋଦନ କରିଛନ୍ତି। ମାନଚିତ୍ରରେ ପାକିସ୍ତାନ କାଶ୍ମୀରକୁ ନିଜର ବୋଲି ଦର୍ଶାଇଛି। ପୂର୍ବରୁ ପାକିସ୍ତାନ କେବଳ ପିଓକେ(ପାକିସ୍ଥାନ ଅଧିକୃତ କଶ୍ମୀର)କୁ ଏହାର ଅଂଶ ବୋଲି କହୁଥିଲା। କିନ୍ତୁ ବର୍ତ୍ତମାନ କାଶ୍ମୀରକୁ ନୂତନ ମାନଚିତ୍ରରେ ଅନ୍ତର୍ଭୁକ୍ତ କରାଯାଇଛି। ନୂଆ ମାନଚିତ୍ର ସହିତ ଗୁଜରାଟର ଲଦାଖ, ସିଆଚେନ ଏବଂ ଜୁନାଗଡକୁ ପାକିସ୍ତାନ ନିଜର ଦାବି କରିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଏହାକୁ ପାକିସ୍ତାନ ଇତିହାସର ସବୁଠାରୁ ଐତିହାସିକ ଦିନ ବୋଲି କହିଛନ୍ତି।

ବିବାଦୀୟ ମାନଚିତ୍ରକୁ ଇମ୍ରାନଙ୍କ କ୍ୟାବିନେଟରେ ଅନୁମୋଦନ କରାଯାଇଥିଲା। କ୍ୟାବିନେଟ ବୈଠକ ପରେ ଇମ୍ରାନ ଏକ ନୂତନ ରାଜନୈତିକ ମାନଚିତ୍ର ପ୍ରକାଶ କରିଛନ୍ତି। ମାନଚିତ୍ରରେ କାଶ୍ମୀରକୁ ପାକିସ୍ତାନର ଏକ ଅଂଶ ଭାବରେ ବର୍ଣ୍ଣନା କରାଯାଇଛି। ତେବେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଅପସାରଣର ଗୋଟିଏ ବର୍ଷ ପୂରଣ ହେବାର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ଏହି ବିବାଦୀୟ ମାନଚିତ୍ର ପ୍ରକାଶ କରିଛି।

ପାକିସ୍ତାନ ପୂର୍ବରୁ ନେପାଳ ମଧ୍ୟ ଏଭଳି କାର୍ଯ୍ୟ କରିଛି। ନେପାଳ ନିଜର ବିବାଦୀୟ ମାନଚିତ୍ରରେ କାଲାପାନି, ଲିପୁଲେଖ ଏବଂ ଭାରତର ଲିମ୍ପିୟାଧୁରାକୁ ଅନ୍ତର୍ଭୁକ୍ତ କରିଥିଲା। ନେପାଳ ମେ’ ୨୦ରେ ଉକ୍ତ ବିବାଦୀୟ ମାନଚିତ୍ର ପ୍ରକାଶ କରିଥିଲା। ଦେଶର ସଂସଦ ମଧ୍ୟ ଏହାକୁ ଅନୁମୋଦନ କରିଛି।

Share