ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା: ଭାରତରୁ କରିପାରେ ଖାଦ୍ୟସାମଗ୍ରୀ ଆମଦାନୀ

ଇସ୍‌ଲାମାବାଦ,୩୦ା୮: ପାକିସ୍ତାନରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ଫଳରେ ଦେଶର ଏକ-ତୃତୀୟାଂଶ ଅଞ୍ଚଳ ପାଣିରେ ଉବୁଟୁବୁ ହେଉଛି। ୩୩ ନିୟୁତ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ୧,୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ୧,୫୬୫ ଲୋକ ଗୁରୁତର ଆହତ ହୋଇଛନ୍ତି। ୧୦ ଲକ୍ଷ ଘର ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାଙ୍ଗିବା ସହ ୭ ଲକ୍ଷରୁ ଊର୍ଦ୍ଧ୍ୱ ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ଘଟିଛି। ଯୋଗାଯୋଗ ବିଚ୍ଛିନ୍ନ ଯୋଗୁ ଲୋକଙ୍କ ପାଖରେ ରିଲିଫ୍‌ ସହାୟତା ପହଞ୍ଚତ୍ ପାରୁନାହିଁ। ଏଭଳି ପ୍ରଳୟଙ୍କରୀ ବନ୍ୟା ପାଇଁ ପାକ୍‌ କର୍ତ୍ତୃପକ୍ଷ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛନ୍ତି। ବନ୍ୟାରେ ଲକ୍ଷ ଲକ୍ଷ ଏକର ଚାଷଜମି ଜଳମଗ୍ନ ହୋଇଥିବାରୁ ଫସଲ ଉଜୁଡ଼ି ଯାଇଛି। ତେଣୁ ଭାରତରୁ ପନିପରିବା ଓ ଖାଦ୍ୟସାମଗ୍ରୀ ଆମଦାନୀ କରିବାକୁ ପାକ୍‌ ସରକାର ବିଚାର କରିପାରନ୍ତି ବୋଲି ପାକିସ୍ତାନ ଅର୍ଥମନ୍ତ୍ରୀ ମିଫତାହ ଇସ୍‌ମାଇଲ୍‌ ସୋମବାର କହିଛନ୍ତି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପ୍ରତିବାଦରେ ଇସ୍‌ଲାମାବାଦ ଭାରତ ସହ ବାଣିଜି୍ୟକ ସମ୍ପର୍କ ଛିନ୍ନ କରିଥିଲା।

Share