Categories: ଖେଳ

ଭାରତଠାରୁ ପରାଜୟ ପରେ ମୁଣ୍ଡ ନୁଆଁଇ ବସିଲେ ନଓ୍ବାଜ୍‌; ଡ୍ରେସିଂ ରୁମ୍‌ରେ ଅଧିନାୟକ ଦେଲେ ଏଭଳି ସ୍ପିଚ୍‌…

ମେଲବୋର୍ନ,୨୪।୧୦: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଟିମ୍‌ ଇଣ୍ଡିଆ ବିପକ୍ଷରେ ପରାଜିତ ହେବା ପରେ ପାକିସ୍ତାନ ଟିମ୍‌ ନିରାଶ ହୋଇଛି। ଅଧିନାୟକ ବାବର ଆଜମ ଡ୍ରେସିଂ ରୁମ୍‌ରେ ସମସ୍ତ ଖେଳାଳିଙ୍କ କ୍ଲାସ ନେଇଛନ୍ତି। ନିଜର ବାର୍ତ୍ତାରେ ସେ ସ୍ପିନର ମହମ୍ମଦ ନଓ୍ବାଜଙ୍କ ସହ ବିଶେଷଭାବେ କଥା ହୋଇଛନ୍ତି। ନଓ୍ବାଜ ମୁଣ୍ଡ ନୁଆଁଇ ବସିଥିବାରୁ ତାଙ୍କୁ ନଇଁବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

ବାବର କହିଛନ୍ତି, ଭଲ ମ୍ୟାଚ୍‌ ହୋଇଛି। ଆମେ ଚେଷ୍ଟା କଲେ। ଆମ ହାତରେ ପରିଶ୍ରମ ରହିଛି। କିଛି ଭୁଲ୍‌ ହେଲା। ସେଥିରୁ ଶିଖିବାର ଅଛି। ନଇଁବାର ନାହିଁ। ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଆଗକୁ ବଡ଼ ମ୍ୟାଚ୍‌ ଅଛି। ଜଣଙ୍କ ଯୋଗୁ ଆମେ ହାରିନାହେଁ। ଆମେ ସମସ୍ତେ ହାରିଛେ। ଏଣୁ ଜଣଙ୍କୁ କହିବା ଠିକ୍‌ ହେବ ନାହିଁ। ଆମେ ହାରିଛେ, ଆମେ ଜିତିବା ମଧ୍ୟ। ଏକାଠି ରହିବା। ଏହାଛଡ଼ା ନଓ୍ବାଜଙ୍କୁ ସେ କହିଛନ୍ତି, କିଛି ହୋଇନାହିଁ। ତୁମେ ପାକିସ୍ତାନ ଟିମ୍‌ର ମ୍ୟାଚ୍‌ ଓ୍ବିନର। ମୋତେ ତୋ ଉପରେ ସବୁବେଳେ ଭସା ଅଛି। ମୁଣ୍ଡ ନୁଆଁଅ ନାହିଁ। ତୁମେ ମ୍ୟାଚ୍‌ ଜିତାଇବ। ଚାପରେ ଥିବା ମ୍ୟାଚ୍‌ ଥିଲା। ହେଲେ ଶେଷଯାଏ ମ୍ୟାଚ୍‌କୁ ନେଇଯିବା ବଡ଼ କଥା। ସବୁ ଜିନିଷ ଏଠାରେ ହିଁ ଛାଡ଼ି ଯିବ, ଆଗକୁ ନୂଆ ଆରମ୍ଭ କରିବାର ଅଛି। ସମସ୍ତଙ୍କୁ ଅଲ୍‌ ଦ ବେଷ୍ଟ ବୋଲି ଅଧିନାୟକ କହିଛନ୍ତି।

କହିରଖୁଛୁ, ଭାରତୀୟ ଟିମ୍‌କୁ ଶେଷ ଓଭରରେ ବିଜେତା ହେବା ଲାଗି ୧୬ ରନ୍‌ର ଆବଶ୍ୟକତା ଥିଲା। ସେତେବେଳେ ନଓ୍ବାଜ ବୋଲିଂ କରିବାକୁ ଆସିଥିଲେ। ଏହି ଓଭରରେ ସେ ଦୁଇ ଉଇକେଟ ନେଇଥିଲେ ହେଁ ଗୋଟିଏ ନୋ ବଲ୍‌ ଲାଗି ମ୍ୟାଚ୍‌କୁ ଭାରତ ଜିତିନେଇଥିଲା। ବିରାଟ କୋହଲି ମ୍ୟାଚ୍‌କୁ ଜିତାଇବାରେ ସଫଳ ହୋଇଥିଲେ।

Share