ସିଫର ମାମଲା: ଅକ୍ଟୋବର ୧୭ରେ ଇମ୍ରାନ୍‌ ଖାନଙ୍କ ଦଣ୍ଡାଦେଶ ଉପରେ ହେବ ଶୁଣାଣି

ଇସଲାମାବାଦ,୯।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ ପାର୍ଟିର ମୁଖ୍ୟ ଇମ୍ରାନ୍‌ ଖାନଙ୍କ ଅସୁବିଧା ହ୍ରାସ ହେବାର କୌଣସି ନାଁ ଧରୁନାହିଁ। ଅକ୍ଟୋବର ୧୭ରେ ସିଫର ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଦଣ୍ଡାଦେଶ ଉପରେ ଶୁଣାଣି ହେବ। ସୋମବାର ସ୍ବତନ୍ତ୍ର କୋର୍ଟ ଏହି ଘୋଷଣା କରିଛନ୍ତି। ଏହି ମାମଲାର ଶୁଣାଣିରେ ସ୍ବତନ୍ତ୍ର କୋର୍ଟର ବିଚାରପତି ଅବଦୁଲ ହସନାତ ଜୁଲକର୍ନେନ ଅଧ୍ୟକ୍ଷତା କରିଥିଲେ।

ଏଥି ସହ ରାୱଲପିଣ୍ଡିର ଆଦିଆଲା ଜେଲରେ ଶୁଣାଣି ବେଳେ ଓକିଲ ଜୁଲଫିକର ଅବ୍ବାସ ନକବି, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଓକିଲ ସଲମାନ ସଫଦର ଏବଂ ତାଙ୍କ ଦଳର ନେତା ଶାହ ମହମୂଦ କୁରେଶିଙ୍କ ଝିଅ ଏବଂ ପୁଅ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତ ବର୍ଷ ମାର୍ଚ୍ଚରେ ଗୋପନୀୟ ତଥ୍ୟ ପ୍ରକାଶ ପାଇବା ପରେ ଗୋପନୀୟତା ଆଇନ ଉଲ୍ଲଂଘନ ଅଭିଯୋଗରେ ୭୧ ବର୍ଷିୟ ଖାନଙ୍କୁ ଅଗଷ୍ଟରେ ଗିରଫ କରାଯାଇଥିଲା।

Share