ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନର କ୍ଷେପଣାସ୍ତ୍ର ପରୀକ୍ଷା

ଇସଲାମାବାଦ,୯ା୪: ପାକିସ୍ତାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନ ଶାହିନ-୩ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏକ ରିପୋର୍ଟ ଅନୁଯାୟୀ ଶନିବାର ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି। ଏହାର ଉଦ୍ଦେଶ୍ୟ ହେଲା ଅସ୍ତ୍ରଶସ୍ତ୍ରର ବିଭିନ୍ନ ଡିଜାଇନ ଏବଂ ବୈଷୟିକ ଜ୍ଞାନ କୌଶଳର ପୁନଃ ଯାଞ୍ଚ କରିବା।

ଶାହିନ-୩ ହେଉଛି ଏକ ଆଣବିକ କ୍ଷେପଣାସ୍ତ୍ର, ଯାହାକି ୨୯୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ପାକିସ୍ତାନୀ ସେନାର ମିଡିଆ ଓ୍ବିଙ୍ଗ୍‌ ଇଣ୍ଟର-ସର୍ଭିସେସ ଲୋକସମ୍ପର୍କ (ISPR) କହିଛି ଯେ, ଏହି କ୍ଷେପଣାସ୍ତ୍ର ପରମାଣୁ ଏବଂ ପାରମ୍ପାରିକ ବିସ୍ଫୋରକ ସାମଗ୍ରୀ ସହିତ ୨୯୦ କିଲୋମିଟର ପର୍ଯ୍ୟନ୍ତ ଯାଇ ଲଢ଼େଇ କରିପାରିବ।

ସୂଚନାଯୋଗ୍ୟ, ଦେଶରେ ରାଜନୈତିକ ସଙ୍କଟ ଦେଖାଦେଇଥିବା ସମୟରେ ପାକିସ୍ତାନ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରିଛି। କେବଳ ଏତିକି ନୁହେଁ, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବାରମ୍ବାର କହୁଛନ୍ତି, ତାଙ୍କ ସରକାର ଭାଙ୍ଗିବା ପଛରେ କିଛି ବିଦେଶୀ ଶକ୍ତି ସାମିଲ ରହିଛନ୍ତି। ଗୋଟିଏ ଦିନ ପୂର୍ବରୁ ଇମ୍ରାନ ଦେଶକୁ ସମ୍ବୋଧିତ କରି ଭାରତର ପ୍ରଶଂସା କରିଥିଲେ। ସେ କହିଥିଲେ, ଭାରତ ଏକ ଆତ୍ମ ସମ୍ମାନକାରୀ ଦେଶ। ଯାହାର ବୈଦେଶିକ ନୀତି ସ୍ବାଧୀନ ଏବଂ ଲୋକଙ୍କ ମଙ୍ଗଳ ପାଇଁ। ଇମ୍ରାନ କହିଥିଲେ, ବର୍ତ୍ତମାନ ସୁଦ୍ଧା କୌଣସି ଦେଶ ଭାରତକୁ ଧମକ ଦେବାକୁ ସାହସ କରିପାରିନାହାନ୍ତି।

Share