ମନି ଲଣ୍ଡରିଂ ମାମଲାରେ ପରିବାର ସମେତ ଶହବାଜଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ

ଇସଲାମାବାଦ,୨୦।୭: ମନି ଲଣ୍ଡରିଂ ମାମଲାରେ ପାକିସ୍ତାନୀ କୋର୍ଟ ଗୁରୁବାର ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ସମେତ ତାଙ୍କ ପରିବାରକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଦୁର୍ନୀତି ନିବାରଣ ଏଜେନ୍ସି ଶହବାଜଙ୍କ ବିରୋଧରେ କୌଣସି ଠୋସ ପ୍ରମାଣ ଉପସ୍ଥାପନ କରିବାରେ ବିଫଳ ହୋଇଥିଲା। ଏଥିସହ ନୁସରତ ଶହାବାଜ (ପତ୍ନୀ), ହମଜା (ପୁଅ) ଜବେରିଆ ଅଲି (ଝିଅ), ମହମ୍ମଦ ଉସମାନ, ମସରୁର ଅନୱାର, ଶୋଏବ କାମାର, କାସିସ କାୟୁମ, ରସିଦ କରାମତ, ଅଲି ଅହମ୍ମଦ ଏବଂ ନିସାର ଅହମ୍ମଦଙ୍କ ସହ କୋର୍ଟ ସମସ୍ତ ସହ-ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ଜଣେ ଅଦାଲତ ଅଧିକାରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି, କାରଣ ବିଦେଶରେ ବିଶେଷ କରି ବ୍ରିଟେନରେ ଲକ୍ଷ ଲକ୍ଷ ଟଙ୍କା ହଡପ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କୌଣସିି ଠୋସ ପ୍ରମାଣ ନାହିଁ। ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ, ଅଦାଲତ ପ୍ରଧାନମନ୍ତ୍ରୀଙ୍କ ଅନ୍ୟ ଝିଅ ରାବିଆ ଇମ୍ରାନଙ୍କୁ ପଳାତକ ଘୋଷଣା କରିବା ସହ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଏହି ମାମଲାରେ ନାଁ ସାମ୍ନାକୁ ଆସିବା ପରେ ରାବିଆ ବ୍ରିଟେନ ଯାଇଥିଲେ।

Share