ଜବରଦସ୍ତ ଧର୍ମାନ୍ତରୀକରଣ କରି ବିବାହ କରାଯାଇଥିବା ବାଳିକାଙ୍କୁ ମାତାପିତାଙ୍କ ସହ ଯିବାକୁ ମନା କଲେ ପାକିସ୍ତାନ କୋର୍ଟ…

ଇସଲାମାବା,୧୦।୬ : ପାକିସ୍ତାନରେ ହିନ୍ଦୁ ଯୁବତୀମାନଙ୍କୁ ଜବରଦସ୍ତଧର୍ମାନ୍ତରୀକରଣ କରିବା ଏବଂ ସେମାନଙ୍କୁ ମୁସଲମାନ ପୁଅମାନଙ୍କ ସହିତ ବିବାହ କରିବା ଘଟଣା ବଢ଼ିବାରେ ଲାଗିଛି। ନିକଟରେ ସିନ୍ଧ ପ୍ରଦେଶରୁ ଏକ ମାମଲା ସାମ୍ନାକୁ ଆସିଥିଲା, ଯେଉଁଠାରେ ଜଣେ ୧୪ ବର୍ଷ ବୟସ୍କାର ହିନ୍ଦୁ ଝିଅଙ୍କୁ ଅପହରଣ କରାଯାଇଥିଲା। ଏହା ପରେ ଜବରଦସ୍ତ ଧର୍ମାନ୍ତରୀକରଣ କରି ଜଣେ ମୁସଲମାନ ଯୁବକଙ୍କ ସହିତ ବିବାହ କରାଯାଇଥିଲା। ଏହି ମାମଲାରେ ଜିଲା କୋର୍ଟ ଝିଅଙ୍କୁ ତାଙ୍କ ମାତାପିତାଙ୍କ ନିକଟକୁ ପଠାଇବାକୁ ମନା କରିଦେଇଛନ୍ତି।

କୁହାଯାଉଛି ଝିଅଟି ତାଙ୍କ ପିତାମାତାଙ୍କ ସହ ଯିବାକୁ ଚାହୁଁଥିଲା, ତଥାପି କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ବିଚାରପତି କହିଛନ୍ତି ଝିଅଟି ନିଜ ବିବୃତ୍ତି ଦେବାବେଳେ ଚାପରେ ଥିଲା। ସେଥିପାଇଁ ତାଙ୍କୁ ଆଶ୍ରୟ ଗୃହକୁ ପଠାଯାଇଛି।

ସୂଚନାଯୋଗ୍ୟ, ଜୁନ ୨ ରେ ଦକ୍ଷିଣ ସିନ୍ଧ ପ୍ରଦେଶର ବେନାଜିରାବାଦ ଜିଲାରେ ସହଯୋଗୀଙ୍କ ସାହାଯ୍ୟରେ ଜଣେ ୧୪ ବର୍ଷର ବାଳିକାକୁ ତାଙ୍କ ଶିକ୍ଷକ ଅପହରଣ କରି ନେଇଥିଲେ। ଏହି ଘଟଣା ତାଙ୍କ ମାଆଙ୍କ ସାମ୍ନାରେ ଘଟିଥିଲା। ନାବାଳିକାଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଥିବା । ଏନେଇ ତାଙ୍କ ବାପା ପୋଲିସ ଅଭିଯୋଗ କରିଥିଲେ। ପରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଝିଅଟି କହିଥଲା ସେ ଇସଲାମ ଧର୍ମ ଗ୍ରହଣ କରିଛନ୍ତି ଏବଂ ଜଣେ ମୁସଲମାନ ଯୁବକଙ୍କୁ ବିବାହ କରିଛନ୍ତି।

ତେବେ ଝିଅଙ୍କର ମାତାପିତା କହିଛନ୍ତି ସେ ଜଣେ ନାବାଳିକା। ସେ ଏସବୁ କରିବାକୁ ବାଧ୍ୟ ହୋଇଛନ୍ତି।
ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ବହୁତ ବିବାଦ ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ କଠୋରତା ଦେଖାଇ ୫ ଦିନ ମଧ୍ୟରେ ନାବାଳିକାଙ୍କୁ ଜିଲାର ଏକ ଘରୁ ଉଦ୍ଧାର କରିଥିଲା। ନାବାଳିକାକୁ ଶୁକ୍ରବାର ଲାରକାନା ଜିଲା କୋର୍ଟରେ ହାଜର କରାଯାଇଥିଲା ଯେଉଁଠାରେ ସେ ତାଙ୍କୁ ଅପହରଣ କରି ଜବରଦସ୍ତ ଧର୍ମାନ୍ତରୀକରଣ କରିଥିବା ବିବୃତ୍ତିରେ ବିଚାରପତିଙ୍କୁ କହିଥିଲେ। ସେ ତାଙ୍କ ମାତାପିତାଙ୍କ ସହ ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ। ତେବେ ଜଜ ତାଙ୍କ ବିବୃତ୍ତି ଦେବାବେଳେ ଚାପରେ ଥିବା ଦର୍ଶାଇ ଜୁନ ୧୨ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଛନ୍ତି। ନାବାଳିକାକୁ ମହିଳା ଆଶ୍ରୟ ଗୃହକୁ ପଠାଯାଇଛି।

Share