Categories: ଖେଳ

ବାବର ଇସ୍ତଫା ଦେବା ମାତ୍ରେ ନୂଆ ଅଧିନାୟକ ଘୋଷଣା କଲା ପିସିବି, ଜାଣନ୍ତୁ କାହାକୁ ମିଳିଲା ଗୁରୁ ଦାୟିତ୍ୱ

ଲାହୋର,୧୫।୧୧: ବିଶ୍ୱକପ୍‌ରେ ଖରାପ ପ୍ରଦର୍ଶନକୁ ନେଇ ପାକିସ୍ତାନ ଅଧିନାୟକ ପଦରୁ ଇସ୍ତଫା ଦେଉଥିବା ନେଇ ବୁଧବାର ବାବର ଆଜମ ଘୋଷଣା କରିଥିଲେ। ଏହାର କିଛି ସମୟ ନ ପୂରୁଣୁ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ନୂଆ ଅଧିନାୟକଙ୍କ ନାମ ଘୋଷଣା କରାଯାଇଛି। ଦ୍ରୁତ ବୋଲର ଶାହିନ ଶାହା ଆଫ୍ରିଦି ଟି୨୦ ଟିମ୍‌ର ନୂତନ ଅଧିନାୟକ ଦାୟିତ୍ୱ ତୁଲାଇବେ। ସେହିଭଳି ବ୍ୟାଟ୍ସମ୍ୟାନ୍‌ ଶାନ ମସୁଦଙ୍କୁ ଟେଷ୍ଟ ଟିମ୍‌ ଅଧିନାୟକ ଭାବେ ନିଯୁକ୍ତି ମିଳିଛି। ତେବେ ଦିନିକିଆ ଲାଗି କୌଣସି ନାମ ଘୋଷଣା କରାଯାଇ ନ ଥିବାରୁ ତିନୋଟି ଯାକ ଫର୍ମାଟରେ ଭିନ୍ନ ଭିନ୍ନ ଅଧିନାୟକ ରହିବେ ବୋଲି ଅନୁମାନ କରାଯାଉଛି।

ପ୍ରକାଶ ଯେ, ଆଫ୍ରିଦି ନିଜର ନେତୃତ୍ୱର ପ୍ରଦର୍ଶନ ପିଏସ୍‌ଏଲ୍‌ ଲିଗ୍‌ରେ ଦେଖାଇ ସାରିଛନ୍ତି। ଏହି ଲିଗ୍‌ର ଗତ ୨ ସିଜନରେ ତାଙ୍କ ଅଧିନାୟକତ୍ୱରେ ଲାହୋର କଲନ୍ଦର୍ସ ଟୁର୍ନାମେଣ୍ଟ ଜିତିଥିଲା। ଏହାକୁ ଦୃଷ୍ଟିରେ ରଖି ବୋର୍ଡ ତାଙ୍କ ଉପରେ ବିଶ୍ୱାସ ଦେଖାଇଛି। ସେହିଭଳି ଡିସେମ୍ବରରେ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ଏଠାରେ ଉଭୟ ଟିମ୍‌ ୩ ଟେଷ୍ଟ ମ୍ୟାଚ ଖେଳିବେ। ଏଥିରେ ମସୁଦ ନୂଆ ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବେ।

Share