Categories: ଖେଳ

୭ ବର୍ଷ ପରେ ଭାରତରେ ପାକିସ୍ତାନ କ୍ରିକେଟ ଦଳ

ହାଇଦ୍ରାବାଦ, ୨୮।୯ (ପି.ଟି.): ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପର ଉଷ୍ମତା ବଢ଼ିଛି। ଦୀର୍ଘ ୭ ବର୍ଷ ବ୍ୟବଧାନରେ ପାକିସ୍ତାନ କ୍ରିକେଟ ଦଳ ପ୍ରଥମଥରପାଇଁ ଭାରତରେ ଆସିଛି। ବାବର ଆଜମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳ ବୁଧବାର ଲାହୋରରୁ ଦୁବାଇ ବାଟଦେଇ ଏଠାକୁ ଆସିଛି। ଭାରତର ୧୦ ଗ୍ରାଉଣ୍ଡରେ କ୍ରିକେଟ ବିଶ୍ୱକପ ଅକ୍ଟୋବର ୫ରୁ ଆରମ୍ଭ ହେବ। ବିଶ୍ୱକପ ପୂର୍ବରୁ ପାକିସ୍ତାନ ଚଳିତ ମାସ ୨୯ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହାର ପ୍ରଥମ ଓ୍ବାର୍ମଅପ୍‌ ମ୍ୟାଚ ଖେଳିବ। ଏହାପରେ ଅକ୍ଟୋବର ୩ରେ ଅଷ୍ଟ୍ରେଲିଆ ସହ ଦ୍ୱିତୀୟ ଓ୍ବାର୍ମଅପ୍‌ ମ୍ୟାଚ ଖେଳି ନିଜକୁ ପ୍ରସ୍ତୁତ କରିବ।

ବିଶ୍ୱକପରେ ପାକିସ୍ତାନ ଏହାର ପ୍ରଥମ ମ୍ୟାଚ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ଏହି ମ୍ୟାଚ ଅକ୍ଟୋବର ୬ ତାରିଖରେ ଏଠାରେ ଅନୁଷ୍ଠିତ ହେବ। ଏହାପରେ ୧୦ ତାରିଖରେ ଶ୍ରୀଲଙ୍କାକୁ ଭେଟିବ। ଭାରତ ଆସିବାର ୪୮ ଘଣ୍ଟା ପୂର୍ବରୁ ପାକିସ୍ତାନ ଖେଳାଳିଙ୍କୁ ଭିଜା ପ୍ରଦାନ କରା ଯାଇଥିଲା। ସମ୍ପର୍କ ଭଲ ନ ଥିବାରୁ ଭାରତ ଓ ପାକିସ୍ତାନ କେବଳ ଆଇସିସି ଇଭେଣ୍ଟରେ ପରସ୍ପରକୁ ଭେଟୁଛନ୍ତି। ବାବର ଆଜମ ଭାରତରେ ବିଶେଷ କରି ଅହମଦାବାଦରେ ଲକ୍ଷାଧିକ ଦର୍ଶକଙ୍କ ସମ୍ମୁଖରେ ଖେଳିବାକୁ ଆଗ୍ରହୀ ବୋଲି କହିଛନ୍ତି।

 

Share