
ଇସଲାମାବାଦ,୧୮ା୩: ପାକିସ୍ତାନ କ୍ରିକେଟର ସ୍ତର ନିମ୍ନଗାମୀ ହେଉଥିବା ବେଳେ ଏହାକୁ ନେଇ ପୂର୍ବତନ ଅଧିନାୟମ ଇଞ୍ଜାମାମ-ଉଲ-ହକ ଚିନ୍ତା ବ୍ୟକ୍ତ କରିଛନ୍ତି। ତାଙ୍କ ମତରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ନେତୃତ୍ୱରେ ବାରମ୍ବାର ପରିବର୍ତ୍ତନ ଓ ଖରାପ ନିଷ୍ପତ୍ତି ଯୋଗୁ ପାକିସ୍ତାନ କ୍ରିକେଟର ଅବସ୍ଥା ଏଭଳି ହୋଇଛି।
ଉଚିତ ଦିଗରେ କାର୍ଯ୍ୟ କରୁ ନାହୁଁ ଏବଂ ଅନେକ ବିଭାଗରେ ଆମେ ଭୁଲ ନିଷ୍ପତ୍ତି ନେଉଛୁ। କୌଣସି ଉପଯୁକ୍ତ ଷ୍ଟ୍ରାଟେଜୀ ବିନା ଓ ଏହାକୁ ପ୍ରଭାବୀ ରୂପେ କାର୍ଯ୍ୟକାରୀ କରା ନ ଗଲେ, ଜାତୀୟ ଦଳର ପ୍ରଦର୍ଶନ ଆହୁରି ତଳକୁ ଯିବ। ଦଳୀୟ ପ୍ରଶାସନ, କୋଚିଂ ଷ୍ଟାଫ ଓ ଖେଳାଳିଙ୍କ ଚୟନରେ ବାରମ୍ବାର ପରିବର୍ତ୍ତନ ଯୋଗୁ ଦ୍ୱନ୍ଦ୍ୱ ବୃଦ୍ଧି ପାଉଛି।
ମୋ ମତରେ କ୍ରିକେଟ ବୋର୍ଡକୁ ତା’ର ଅତୀତର ଭୁଲଠାରୁ ଶିକ୍ଷା ନେବା ଦରକାର। ଗତ ଦୁଇ ବର୍ଷ ହେଲା ଯେଉଁ ତ୍ରୁଟି ହେଉଛି ତାହାକୁ ଦୋହରାଇବା ଉଚିତ ନୁହେଁ। ଗତ ଦୁଇ ବର୍ଷ ହେଲା, ପାକିସ୍ତାନ ଦଳର ପ୍ରଦର୍ଶନ ତଳକୁ ଖସିଛି। ଯଦି ଆମେ ଉଚିତ ଦିଗରେ କାର୍ଯ୍ୟ ନ କରିବା, ଆହୁରି ତଳକୁ ଖସିଯିବା।
ଅତ୍ୟଧିକ ପରିବର୍ତ୍ତନ କରିବା ବଦଳରେ ଆମକୁ ଏକାଠି ବସି କେଉଁଠାରେ ଭୁଲ୍ ହେଉଛି, ତାହା ଉପରେ ଚର୍ଚ୍ଚା କରିବା ଦରକାର। ଯଦି ଲଗାତର ପରିବର୍ତ୍ତନ ହେବା ଜାରି ରହିବ, ତେବେ ଖେଳାଳିଙ୍କୁ ଆବଶ୍ୟକ ଥିବା ଆତ୍ମବିଶ୍ୱାସ ମିଳିପାରିବ ନାହିଁ ଏବଂ ପରିସ୍ଥିତିରେ କୌଣସି ସୁଧାର ଆସିବ ନାହିଁ ବୋଲି ଇଞ୍ଜାମାମ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।