Categories: ଖେଳ

ହରମନପ୍ରୀତଙ୍କ ଉପରେ ରାଗିଗଲେ ପାକିସ୍ତାନ କ୍ରିକେଟର୍‌

ଇସଲାମାବାଦ,୨୬।୭:ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନ୍‌ପ୍ରୀତ କୌରଙ୍କୁ ପରବର୍ତ୍ତୀ ଦୁଇ ଅନ୍ତର୍ଜାତୀୟ ମ୍ୟାଚରୁ ସସ୍‌ପେଣ୍ଡ କରାଯାଇଛି। ଶନିବାର ଢାକାଠାରେ ବାଂଲାଦେଶ ବିପକ୍ଷ ଆଇସିସି ମହିଳା ଚାମ୍ପିୟନଶିପ୍‌ ତୃତୀୟ ମ୍ୟାଚ ବେଳେ ଦୁଇଟି ପୃଥକ୍‌ ପୃଥକ ଘଟଣାରେ ସେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଆଚରଣ ବିଧି ଉଲ୍ଲଂଘନ କରିଥିଲେ।
ପାକିସ୍ତାନର ପୂର୍ବତନ ଅଧିନାୟକ ଶହିଦ ଆଫ୍ରିଦି ମଧ୍ୟ ହରମାନପ୍ରୀତଙ୍କ ଏହି କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଫ୍ରିଦି କହିଛନ୍ତି ଯେ, ଏଭଳି ମୁହୂର୍ତ୍ତ ନିଶ୍ଚିତ ଭାବରେ ମ୍ୟାଚକୁ ଏକ ଭିନ୍ନ ସ୍ତରକୁ ନେଇଯାଏ, କିନ୍ତୁ ମହିଳା କ୍ରିକେଟରେ ଏହି ପ୍ରକାର କାର୍ଯ୍ୟ ପ୍ରାୟତଃ ଦେଖାଯାଏ ନାହିଁ। ଏହା କେବଳ ଭାରତରେ ନୁହେଁ। ଅତୀତରେ ମଧ୍ୟ ଆମେ ଏପରି ଜିନିଷ ଦେଖିଛୁ, କିନ୍ତୁ ମହିଳା କ୍ରିକେଟ ରେ ଆମେ ଏହି ଦୃଶ୍ୟକୁ ପ୍ରାୟତଃ ଦେଖୁନାହୁଁ। ଏହା ଅତ୍ୟଧିକ ଅଟେ। ଆଇସିସି ପାଇଁ ଏହା ଏକ ବଡ ମ୍ୟାଚ ଥିଲା। ଅମ୍ପାୟାରଙ୍କ ନିଷ୍ପତ୍ତିରେ ଜଣେ କ୍ରୋଧିତ ହୋଇପାରନ୍ତି, କିନ୍ତୁ ଏହାକୁ ନିୟନ୍ତ୍ରଣ କରାଯିବା ଉଚିତ୍‌।
ସୂଚନାଯୋଗ୍ୟ, ଭାରତ ଇନିଂସର ୩୪ତମ ଓଭରରେ ସ୍ପିନର ନାହିଦା ଅକତରଙ୍କ ବୋଲିଂରେ ସ୍ଲିପ୍‌ ଅଞ୍ଚଳରେ କ୍ୟାଚ ଆଉଟ ହୋଇଯାଇଥିଲେ ହରମନ୍‌ପ୍ରୀତ। ଏଥିରେ ହତାଶାଭାବ ପ୍ରକାଶ କରିବାକୁ ଯାଇ ସେ ତାଙ୍କ ବ୍ୟାଟ୍‌ରେ ଉଇକେଟକୁ ପ୍ରହାର କରିଥିଲେ। ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ଲାଗି ଉଦ୍ଦିଷ୍ଟ ଆଇସିସି ଆଚରଣ ବିଧି ଧାରା ୨.୮ ଅନ୍ତର୍ଗତ ଲେଭଲ-୨ ଅପରାଧ ପାଇଁ କୌରଙ୍କୁ ତାଙ୍କ ମ୍ୟାଚ ଫି’ର ୫୦ ପ୍ରତିଶତ ଜରିମାନା ହୋଇଥିବା ବେଳେ ତାଙ୍କ ଡିସିପ୍ଲିନାରି ରେକର୍ଡରେ ୩ ଡିମେରିଟ୍‌ ପଏଣ୍ଟ ଯୋଗ କରାଯାଇଛି। ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଥିବାରୁ ଭାରତୀୟ ଅଧିନାୟିକାଙ୍କୁ ଏହି ଦଣ୍ଡ ମିଳିଛି। କୌରଙ୍କୁ ଆହୁରି ମଧ୍ୟ ଲେଭଲ ୧ ଅପରାଧ ପାଇଁ ତାଙ୍କ ମ୍ୟାଚ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଏକ ଅନ୍ତର୍ଜାତୀୟ ମ୍ୟାଚରେ ସର୍ବସାଧାରଣରେ ସମାଲୋଚନା ପାଇଁ ତାଙ୍କୁ ଏହି ଦଣ୍ଡ ମିଳିଛି।

Share