Categories: ଖେଳ

ବିଶ୍ୱକପ୍‌ରେ ଏକମାତ୍ର ଅପରାଜେୟ ଦଳ ପାକିସ୍ତାନ

ଆବୁଧାବି,୭।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ସ୍କଟଲାଣ୍ଡକୁ ୭୨ ରନ୍‌ରେ ହରାଇ ପାକିସ୍ତାନ ତା’ର ଅପରାଜେୟ ଧାରା ଜାରି ରଖିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଥିବା ପାକିସ୍ତାନ ସୁପର ୧୨ ପର୍ଯ୍ୟାୟରେ ପରାଜୟର ମୁହଁ ଦେଖିନାହିଁ। ପାକିସ୍ତାନ ବ୍ୟତୀତ ସେମିଫାଇନାଲକୁ ଉନ୍ନୀତ ହୋଇଥିବା ପ୍ରତ୍ୟେକ ଦଳ ଗୋଟିଏ ଲେଖାଏ ମ୍ୟାଚ୍‌ ହାରିଛନ୍ତି। ପାକିସ୍ତାନ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୪ ଉଇକେଟ ହରାଇ ୧୮୯ ରନ୍‌ କରିଥିଲା। ଦଳ ପାଇଁ ଅଧିନାୟକ ବାବର ପୁଣି ଥରେ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ତାଙ୍କ ୬୬ ରନ୍‌ର ଇନିଂସରେ ସାମିଲ ଥିଲା ୫ ଚୌକା ଓ ଛକା। ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା ଶୋଏବ ମଲିକଙ୍କ ବସ୍ଫୋରକ ୫୪ (୧ ଚୌକା ଓ ୬ ଛକା)ରନ୍‌ର ପାଳି। ସେ ଅନ୍ତିମ ଓଭରରେ ୫ ବଲର ସମ୍ମୁଖୀନ ହୋଇ ୪ ଛକା ଓ ୧ ଚୌକା ଲଗାଇଥିଲେ। ଜବାବରେ ଶେଷ ପର୍ଯ୍ୟନ୍ତ ଖେଳିଥିବା ସ୍କଟଲାଣ୍ଡ ୬ ଉଇକେଟ ହରାଇ ୧୧୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦଳ ପାଇଁ ରିଚି ବରିଂଟନ ୫୪ ( ୪ଚୌକା ଓ ୧ ଛକା) ରନ୍‌ ପାଳି ଖେଳିଥିଲେ। ପାକିସ୍ତାନ ପାଇଁ ଶାଦାବ ଖାନ ୨ ଉଇକେଟ ନେଇଥିବା ବେଳେ ଶାହିନ ଆଫ୍ରିଦୀ, ହାରିସ ରଫ ଓ ହାସନ ଅଲି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share