୨୪ଘଣ୍ଟାରେ ପାକିସ୍ତାନରେ ହୋଇପାରେ ଭୟଙ୍କର ଭୂମିକମ୍ପ, ରଚିପାରେ ତୁର୍କୀ ପରି ତାଣ୍ଡବ!

ଇସଲାମବାଦ,୩।୧୦: ନେଦରଲ୍ୟାଣ୍ଡର ଜଣେ ବୈଜ୍ଞାନିକ ପୂର୍ବାନୁମାନ କରିଛନ୍ତି, ଆଗାମୀ ୨୪ଘଣ୍ଟା ମଧ୍ୟରେ ପାକିସ୍ତାନରେ ଭୟଙ୍କର ଭୂମିକମ୍ପ ହେବାକୁ ଯାଉଛି। ଇତିହାସରେ ସବୁଠାରୁ ଭୟଙ୍କର ଭୂକମ୍ପର ସମ୍ମୁଖୀନ ହେବ ଦେଶ। ନେଦରଲ୍ୟାଣ୍ଡ ସ୍ଥିତ ସଂଗଠନ ସୋଲାର ସିଷ୍ଟମ ଜୋମେଟ୍ରି ସର୍ଭେର ଡଚ ଗବେଷକ ଫ୍ରାଙ୍କ ହୁଗରର୍ବେଟ୍ସ ଏହି ଭବିଷ୍ୟବାଣୀ କରିଛନ୍ତି। ବାଲୁଚିସ୍ତାନର ଚମାନ ଅଞ୍ଚଳରେ ଟେକ୍ଟୋନିକ ପ୍ଲେଟର ଚଳନରେ ଏହି ଭୂମିକମ୍ପ ସୃଷ୍ଟି ହେବ। ଏହା ଶକ୍ତିଶାଳୀ ଭୂମିକମ୍ପ ରୂପ ମଧ୍ୟ ନେଇପାରେ। ଅକ୍ଟୋବର ୧ ରୁ ୩ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବୈଜ୍ଞାନିକ ହୁଗରର୍ବେଟ୍ସ କହିଛନ୍ତି। ଏନେଇ ସେପ୍ଟେମ୍ବର ୨୯ରେ ସୋସିଆଲ ମିଡିଆ ଏକ୍ସରେ ଏକ ଟ୍ବିଟ କରିଥିଲେ।

ଏହି ସତର୍କବାଣୀରେ ଦେଶରେ ଭୟର ଆଲୋଡ଼ନ ସୃଷ୍ଟି ହୋଇଛି। ପରେ ପାକିସ୍ତାନ ପାଣିପାଗ ବିଭାଗ (ପିଏମଡି) ସ୍ପଷ୍ଟୀକରଣ ଦେଇଛି। ଏହି ସତର୍କ ବାଣୀକୁ ପିଏମଡି ପ୍ରତ୍ୟାଖ୍ୟାନ କରି କହିଛି ଯେ, କୌଣସି ଭୂମିକମ୍ପର ଗତିବିଧି ଉପରେ ସଠିକ ପୂର୍ବାନୁମାନ କରିବା ଅସମ୍ଭବ। ପୃଥିବୀ ଭିତରେ ଦୁଇଟି ପ୍ରମୁଖ ଟେକ୍ଟୋନିକ ପ୍ଲେଟର ସୀମା ପାକିସ୍ତାନ ଦେଇ ସୋନମିଆନି ଠାରୁ ଦେଶର ଉତ୍ତର ଅଞ୍ଚଳ ପର୍ଯ୍ୟନ୍ତ ଯାଇଛି। ଏହି ସୀମା ରେଖାଗୁଡ଼ିକର ଯେକୌଣସି ସମୟରେ ଭୂମିକମ୍ପ ହୋଇପାରେ। ଶେଷ ଥର ପାଇଁ ୧୮୯୨ ମସିହାରେ ଚମାନ ଫଲ୍ଟ ଲାଇନରେ ଏକ ବଡ଼ ଭୂକମ୍ପ ଦେଖିବାକୁ ମିଳିଥିଲା, ସେତେବେଳେ ରିଚ୍ଟର ସ୍କେଲରେ ତୀବ୍ରତା ୯ରୁ ୧୦ଥିଲା ବୋଲି ପିଏମଡି କହିଛି।

ପାକିସ୍ତାନ ପାଣିପାଗ ବିଭାଗ ଏକ ବିବୃତ୍ତିରେ କହିଛି ଯେ ସାଧାରଣତ ଶହ ଶହ ବର୍ଷ ବିତିଯିବା ପରେ ସମାନ ସୀମାରେ ପୁନର୍ବାର ଭୂକମ୍ପ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭୂମିକମ୍ପ ସମ୍ପର୍କରେ କୌଣସି ଅନ୍ତର୍ଜାତୀୟ ସଂସ୍ଥା ତରଫରୁ ଚେତାବନୀ କିମ୍ବା ସତର୍କତା ଦିଆଯାଇ ନାହିଁ। କିନ୍ତୁ ପାକିସ୍ତାନରେ ଟେକ୍ଟୋନିକ ପ୍ଲେଟର ଗତିବିଧି ପୂର୍ବାନୁମାନ କରିବାର ବ୍ୟବସ୍ଥା ନାହିଁ। ସୋସିଆଲ ମିଡିଆରେ ମିଥ୍ୟା ଖବରକୁ ବିଶ୍ୱାସ ନ କରିବାକୁ ପାଣିପାଗ ବିଭାଗ ଲୋକଙ୍କୁ ନିବେଦନ କରିଛି।

ତେବେ ଏହା କେବଳ ପ୍ରଥମ ଥର ନୁହେଁ ଯେ ହୁଗର୍‌ର୍ବେଟ୍ସ ଭୂକମ୍ପର ପୂର୍ବାନୁମାନ କରଛନ୍ତି। ଚଳିତ ବର୍ଷ ଫେବୃଆରୀରେ ହୁଗରର୍ବେଟ୍ସ ତୁର୍କୀ ଏବଂ ସିରିଆ ଭୂମିକମ୍ପ ହେବାର ସତର୍କ କରାଇଥିଲେ। ସେହି ଭୟଙ୍କର ଭୂକମ୍ପରେ ୫୦ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ହୁଗରର୍ବେଟ୍ସ କହିଛନ୍ତି, ଯଦି ଆମେ ବାୟୁମଣ୍ଡଳୀୟ ପରିବର୍ତ୍ତନକୁ ଦେଖିବା, ତେବେ ଏହି କ୍ଷେତ୍ରଗୁଡିକ ପ୍ରମୁଖ ଭୂମିକମ୍ପ କାର୍ଯ୍ୟକଳାପ ପାଇଁ ପରବର୍ତ୍ତୀ କେନ୍ଦ୍ର ହୋଇପାରେ।

Share