ବର୍ଦ୍ଧିତ ଦର ଯୋଗୁ ଜାଳିଦେଲେ ପେଟ୍ରୋଲ ପମ୍ପ

ଇସ୍‌ଲାମାବାଦ,୩୧।୧: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଅବସ୍ଥା ବେଳକୁ ବେଳ ଖରାପ୍‌ ହେବାରେ ଲାଗିଛି। ସମଗ୍ର ବିଶ୍ୱରୁ ସହାୟତା ପାଇଁ ପାକିସ୍ତାନ ସରକାର ନିବେଦନ କରୁଛନ୍ତି। ପରିସ୍ଥିତି ଏଭଳି ହୋଇଛି ଯେ ଦେଶବାସୀ ମୌଳିକ ଆବଶ୍ୟକତାରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼ୁଛି ପାକିସ୍ତାନର ଦୁର୍ଦ୍ଦଶା। ଇତିମଧ୍ୟରେ ଆଉ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଲୋକମାନେ ପେଟ୍ରୋଲ ପମ୍ଫ ଜାଳି ଦେଉଥିବାର ଦେଖିବାକୁ ମିଳିଛି। ସୂଚନା ମୁତାବକ, ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପରେ ବର୍ତ୍ତମାନ ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ସରକାର ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୩୫ ଟଙ୍କା ବୃଦ୍ଧି କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉତ୍ତ୍ୟକ୍ତ ହୋଇ ଲାହୋରର ଲୋକମାନେ ପେଟ୍ରୋଲ ପମ୍ପରେ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ପାକିସ୍ତାନ ଅର୍ଥମନ୍ତ୍ରୀ ଇଶାକ ଡାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ପେଟ୍ରୋଲ ଡିଜେଲ ମୂଲ୍ୟରେ ୩୫ ଟଙ୍କା ବୃଦ୍ଧି କରିବାକୁ ସେ ଘୋଷଣା କରିଛନ୍ତି। ଏହାପରେ ତୁରନ୍ତ ବର୍ଦ୍ଧିତ ମୂଲ୍ୟ କାର୍ଯ୍ୟକାରୀ ହେବା ପରେ ନୂତନ ମୂଲ୍ୟରେ ପେଟ୍ରୋଲର ଲିଟର ପିଛା ୨୪୯.୮୦ ଟଙ୍କା ବୃଦ୍ଧି ଏବଂ ହାଇ ସ୍ପିଡ ଡିଜେଲ ଲିଟର ପିଛା ୨୬୨.୮୦ ଟଙ୍କା ଓ ହାଲୁକା ଡିଜେଲ ଲିଟର ପିଛା ୧୮୭ ଟଙ୍କାରେ ବିକ୍ରି ହେବ।

Share