ଇସ୍ଲାମାବାଦ, ୧୯ା୮: ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲି ଭଙ୍ଗ ହେବାର ୯୦ ଦିନ ମଧ୍ୟରେ ସାଧାରଣ ନିର୍ବାଚନ କରିବାର ନିୟମ ରହିଛି। ହେଲେ ନିର୍ବାଚନ ବିଳମ୍ବିତ ହୋଇପାରେ ବୋଲି ସୂଚନା ମିଳିଛି। ପାକିସ୍ତାନ ଇଲେକ୍ସନ କମିଶନ (ଇସିପି) ନିର୍ବାଚନମଣ୍ଡଳୀଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ ଲାଗି ନିଷ୍ପତ୍ତି ନେଇଛନ୍ତି। ଏଭଳିସ୍ଥିତିରେ ନିର୍ବାଚନ ବିଳମ୍ବିତ ହୋଇପାରେ।
ଗତ ୯ ତାରିଖରେ ନ୍ୟାଶନାଲ ଆସେମ୍ବ୍ଲି ଭଙ୍ଗ ହୋଇଥିଲା। ତେଣୁ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ନଭେମ୍ବର ୯ ସୁଦ୍ଧା ସାଧାରଣ ନିର୍ବାଚନ କରାଯିବା କଥା। ସୀମା ନିର୍ଦ୍ଧାରଣ ମଧ୍ୟ ନିର୍ବାଚନ କମିଶନଙ୍କ ଆଉ ଏକ ଦାୟିତ୍ୱ। ସପ୍ତମ ଜନଗଣନା ଗତ ମାର୍ଚ୍ଚ ଏବଂ ଏପ୍ରିଲରେ ହୋଇଥିବା ବେଳେ ସରକାର ଭାଙ୍ଗିବାର ଦିନ ପୂର୍ବରୁ ଏହାର ଫଳାଫଳକୁ ଅନୁମୋଦନ କରାଯାଇଛି। ନିର୍ବାଚନ କମିଶନ ଏକସଙ୍ଗେ ଦୁଇଟି ସାମ୍ବିଧାନିକ ଦାୟିତ୍ୱ ତୁଲାଇ ପାରିବେ ନାହିଁ। ଗୋଟିଏ ପାଇଁ ଅନ୍ୟଟିର ଉଲ୍ଲଂଘନ କରିବାକୁ ପଡ଼ିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।