ପାକିସ୍ତାନରେ ଫେବୃୟାରୀ ମଧ୍ୟରେ ହେବ ନିର୍ବାଚନ, ରାଜନୈତିକ ଦଳଙ୍କୁ କଥା ଦେଲେ ନିର୍ବାଚନ କମିଶନ

ଇସଲାମାବାଦ,୩୧।୮: ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ସମ୍ପର୍କରେ ରାଜନୈତିକ ଦଳମାନେ ସରକାର ଏବଂ ପାକିସ୍ତାନର ନିର୍ବାଚନ ଆୟୋଗ ଉପରେ ଲଗାତାର ଚାପ ପକାଉଛନ୍ତି। ଶହବାଜ ସରକାର ସମୟ ପୂର୍ବରୁ ଭାଙ୍ଗିଗଲା, ଏହି କାରଣରୁ ୯୦ଦିନ ମଧ୍ୟରେ ନିର୍ବାଚନ କରିବା ବାଧ୍ୟତାମୂଳକ ଅଟେ। ଏଥି ସହିତ, ବର୍ତ୍ତମାନ ପାକିସ୍ତାନର ନିର୍ବାଚନ କମିଶନ ରାଜନୈତିକ ଦଳମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସାଧାରଣ ନିର୍ବାଚନ ଜାନୁୟାରୀ ଶେଷ କିମ୍ବା ଫେବୟାରୀ ମଧ୍ୟଭାଗରେ ଅନୁଷ୍ଠିତ ହେବ, ଏହି ବୟାନ ପରେ ଦେଶରେ ନିର୍ବାଚନକୁ ନେଇ ଆଶଙ୍କା ଦୂର ହୋଇଯାଇଛି।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆୱାମୀ ନ୍ୟାସନାଲ ପାର୍ଟି (ଏଏନପି) ଦଳର ନେତାମାନେ ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) କୁ ଭେଟିଥିଲେ ଏବଂ ଏହା ପରେ ନିର୍ବାଚନ ସଂସ୍ଥା ସେମାନଙ୍କୁ ଫେବୃୟାରୀ ସୁଦ୍ଧା ନିର୍ବାଚନ କରିବାକୁ ନିଶ୍ଚିତ କରିଥିଲେ। ବୁଧବାର ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ସିକନ୍ଦର ସୁଲତାନ ରାଜା ଅଧ୍ୟକ୍ଷତା କରିଥିଲେ ଏବଂ ଇସିପିର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏଏନପି ପ୍ରତିନିଧି ଦଳର ନେତୃତ୍ୱ ଏହାର ସାଧାରଣ ସମ୍ପାଦକ ଇଫତିଖାର ହୁସେନ, କେନ୍ଦ୍ରୀୟ ମୁଖପାତ୍ର ଜାହିଦ ଖାନ ଏବଂ ଦଳର ନେତା ଖୁସଦିଲ ଖାନ ଏବଂ ଅବଦୁଲ ରହିମ ୱାଜିର ନେଇଥିଲେ।

Share