Categories: ଜାତୀୟ

ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାକୁ ନେଇ ଅପପ୍ରଚାର କରୁଛି ପାକିସ୍ତାନ

ଚଣ୍ଡିଗଡ଼,୬ ।୬: ପାକିସ୍ତାନ ତା’ର ଭାରତ ବିରୋଧି ଅପପ୍ରଚାରକୁ ଏବେବି ଜାରି ରଖିଛି । ଏବେ ପାକିସ୍ତାନ ପଞ୍ଜାବି ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାକୁ ନେଇ ଅପପ୍ରଚାର ଆରମ୍ଭ କରିବା ସହ ଭାରତର ଛବି ଖରାପ କରିବାକୁ ଲାଗି ପଡିଛି । ଏହି ଅଭିଯାନରେ ପ୍ରାୟ ୨୬ଟି ଟୁଇଟର ଆକାଉଣ୍ଟ ସକ୍ରିୟ ରହିଛି । ଏ ସମସ୍ତ ଆକାଉଣ୍ଟ ପାକିସ୍ତାନର ବୋଲି ଜଣାପଡିଛି । ଅଧିକାଂଶ ଆକାଉଣ୍ଟର ସମ୍ପର୍କ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପାର୍ଟି ପାକିସ୍ତାନ ତହରିକ-ଏ-ଇନସାଫ ସହ ରହିଛି ।
ସୂଚନାଯୋଗ୍ୟ, ମୁସେୱାଲାଙ୍କୁ ୨ ମେ’ରେ ମାନସାରେ ଗୁଳିକରି ହତ୍ୟା କରାଯାଇଥିଲା । ଏହି ଘଟଣା ସମ୍ପର୍କରେ ୨୯ ମେ’ ସନ୍ଧ୍ୟାରେ ସୂଚନା ମିଳିଥିଲା । ଏହି ଘଟଣାକୁ ନେଇ ଯେଉଁ ପ୍ରଥମ ଟୁଇଟ କରାଯାଇଥିଲା ତାହା ଏକ ପାକିସ୍ତାନୀ ଆକାଉଣ୍ଟରୁ କରାଯାଇଥିଲା । ଏହାପରେ କିଛି ଫର୍ଜି ଆକାଉଣ୍ଟରୁ #RawKilledMoosewala ହାସଟ୍ୟାଗ ଟ୍ରେଣ୍ଡ କରିଥିଲା ।
ଏହି ଭଳି ହାସଟ୍ୟାଗ ଜରିଆରେ ଭାରତର ଗୁଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ (ର)ର ଛବି ଖରାପ କରିବାକୁ ପାକିସ୍ତାନ ଚେଷ୍ଟା କରିଛି । ଏହି ହାସଟ୍ୟାଗ ଜରିଆରେ ‘ର’କୁ ହତ୍ୟାପାଇଁ ଦାୟୀ କରିବା ଭଳି ଭୁଲ ତଥ୍ୟ ଓ ଅପପ୍ରଚାର କରୁଛି ପାକିସ୍ତାନ । ଏଥିପାଇଁ ବ୍ୟବହାର କରାଯାଉଥିବା ଅଧିକାଂଶ ଆକାଉଣ୍ଡ କେବଳ ଭାରତକୁ ବଦନାମ କରିବାକୁ କରାଯାଇଥିବା କୁହାଯାଉଛି ।

Share