ପାକିସ୍ତାନରେ ଶକ୍ତିଶାଳୀ ଭୂକମ୍ପ, ରିଚ୍ଟର ସ୍କେଲରେ ତୀବ୍ରତା ୫.୨

ନୂଆଦିଲ୍ଲୀ, ୧୫।୧୧: ବୁଧବାର ସକାଳୁ ସକାଳୁ ପାକିସ୍ତାନରେ ବଡ଼ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ନାହିଁ। ତେବେ ଲୋକମାନେ ଭୂକମ୍ପର କମ୍ପନ ଅନୁଭବ କରିବା ମାତ୍ରେ ସମସ୍ତେ ଘରୁ ଦୌଡ଼ି ବାହାରକୁ ଚାଲି ଆସିଥିଲେ।

ଏହାପୂର୍ବରୁ ଗତ ଶନିବାର (ନଭେମ୍ବର ୧୧) ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ପାକିସ୍ତାନରେ ୪.୧ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଆଉ ଏହାର ଚାରିଦିନ ପରେ ଭୂକମ୍ପରେ ପାକିସ୍ତାନ ପୁଣି ଥରେ କମ୍ପି ଉଠିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀରୁ ୧୮ କିଲୋମିଟର ଗଭୀରରେ ଥିବା କୁହାଯାଉଛି।

ଭୂମିକମ୍ପ କାହିଁକି ହୁଏ ଓ କିପରି ହୁଏ ?

ଭୂମିକମ୍ପ ଏକ ପ୍ରକୃତିକ ଦୁର୍ବିପାକ ଅଟେ । ଇଂରାଜୀରେ ଏହାକୁ (earthquake, quake, tremor ବା temblor) କୁହାଯାଏ । ପୃଥିବୀ ପୃଷ୍ଠରୁ ହଠାତ ବହୁତ ପରିମାଣରେ ଶକ୍ତି ନିର୍ଗତ ହେବା ଯୋଗୁଁ ଭୂକମ୍ପୀୟ ତରଙ୍ଗ (seismic wave) ସୃଷ୍ଟି ହୁଏ । ଭୂଗର୍ଭସ୍ଥ ଶିଳାସ୍ତରରେ ଥିବା ତୃଟି ସ୍ଥଳ ଭାଙ୍ଗିଯିବା ଯୋଗୁ ସାଧାରଣତଃ ଭୂମିକମ୍ପ ହୁଏ । ସେଠାରେ ଥିବା ଦୁଇଟି ଶିଳା ବା ପ୍ଲେଟ ପରଷ୍ପର ସ‌ହ ଘସି ହୋଇ ସାମାନ୍ୟ ଲାଖିଯାଆନ୍ତି । ସେଗୁଡ଼ିକ ପରଷ୍ପରକୁ ଠେଲୁଥାଆନ୍ତି । ବେଳେ ବେଳେ ଚାପ ଅତ୍ୟାଧିକ ହେଲେ ସେଗୁଡ଼ିକ ଭାଙ୍ଗିଯାଏ ଓ ଭୂମିକମ୍ପ ହୁଏ । ଏହି ସମୟରେ ମଧ୍ୟ ଶିଳା ସ୍ତର ଘୁଞ୍ଚୁଥାଏ । ଆଉଥରେ ଯେତେବେଳେ ଦୁଇ ସ୍ତର ଲାଖିଯାଆନ୍ତି ସେତେବେଳେ ଏହା ବନ୍ଦ ହୁଏ । ଏହି ଚାପଗ୍ରସ୍ତ ସ୍ଥାନର ଠିକ୍ ଉପରକୁ ଥିବା ଭୂପୃଷ୍ଠକୁ ଏପିସେଣ୍ଟର କୁହାଯାଏ ।

Share