ଭୋକିଲା ଲୋକଙ୍କ ଉପରେ ଗୁଳି ବର୍ଷା କଲା ପାକିସ୍ତାନ…

ଇସଲାମାବାଦ୍‌,୨୫।୧୦: ଆଫଗାନର ପସ୍ତୁନ ସମ୍ପ୍ରଦାୟଙ୍କ ବନ୍ଧୁ ବୋଲାଉଥିବା ପାକିସ୍ତାନର ବନ୍ଧୁ ଚେହେରା ପଦାରେ ପଡ଼ିଛି। ରବିବାର ଆଫଗାନିସ୍ତାନ ସୀମାରେ ଭୋକିଲା ଶୋଷିଲା ପାସ୍ତୁନଙ୍କ ଉପରେ ପାକିସ୍ତାନ ସୁରକ୍ଷାକର୍ମୀ ଗୁଳି ଚଳାଇଛନ୍ତି। ଦୁଇଦେଶ ମଧ୍ୟରେ ଥିବା ଚମନ ସୀମା କ୍ରସିଂ ବାଟେ ପାକିସ୍ତାନରୁ ଆଫଗାନିସ୍ତାନରେ ପ୍ରବେଶ କରିବାକୁ ଚାହୁଁଥିବା ଲୋକଙ୍କ ଉପରେ ଆଖିବୁଜା ଗୁଳି ମାଡ଼ ହୋଇଛି।

ଦୀର୍ଘ ଦିନ ଧରି ଭୋକିଲା ଏବଂ ତୃଷାର୍ତ୍ତ ନିଜ ଭିଟାମାଟିରେ ପହଞ୍ଚିବାକୁ ଚେଷ୍ଟା କରୁଥିବା ଲୋକମାନଙ୍କ ଧର୍ଯ୍ୟର ବନ୍ଧ ରବିବାର ଭାଙ୍ଗିଯାଇଥିଲା। ସେମାନେ ସୀମା ପାର କରିବାକୁ ଚେଷ୍ଟା କରିଥିଲେ। ସୀମାରେ ଥିବା ପାକିସ୍ତାନୀ ସୈନ୍ୟ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ।

ଏହି ଲୋକମାନଙ୍କର ଏକମାତ୍ର ଦୋଷ ହେଉଛି ଯେ ସେମାନେ ଆଫଗାନିସ୍ତାନର ନିଜ ଭିଟାମାଟିକୁ ଫେରିବାକୁ ଚାହୁଁଛନ୍ତି, କିନ୍ତୁ ଇମ୍ରାନ ଖାଁ ସରକାର ଏହାକୁ ଗ୍ରହଣ କରୁନାହାଁନ୍ତି। ଆଫଗାନିସ୍ତାନରେ ତାଲିବାନ ଶାସନ କ୍ଷମତା ଦଖଲ କରିବା ପରେ ପାକିସ୍ତାନ ସୁରକ୍ଷା ନାମରେ ଚମନ ସୀମା ବନ୍ଦ କରି ଦେଇଛି। ତେଣୁ, ଏହି ଗୁରୁତ୍ୱପୂର୍ଣ୍ଣ ବାଣିଜି୍ୟକ ମାର୍ଗରେ ଯାନବାହାନ ଚଳାଚଳ ବନ୍ଦ ରହିଛି। ଫଳାଫଳ ହେଉଛି ଏକ ମାସ ପୂର୍ବରୁ ଯେଉଁ ପାସ୍ତୁନମାନେ ପାକିସ୍ତାନ ଆସିଥିଲେ ସେମାନେ ଏଠାରେ ଅଟକି ରହିଛନ୍ତି।

ପାକିସ୍ତାନ-ଆଫଗାନିସ୍ତାନ ସୀମାର ଚମନ କ୍ରସିଂ ବନ୍ଦ ହେବା କାରଣରୁ ପ୍ରାୟ ୫୦,୦୦୦ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀ କାରବାର ହରାଇଛନ୍ତି। ଚମନ ଚାମ୍ବର ଅଫ କମର୍ସର ପୂର୍ବତନ ସଭାପତି ଜମାଲୁଦ୍ଦିନ ଆଖାକାଇ କହିଛନ୍ତି ଯେ କ୍ରସିଂ ବନ୍ଦ ଦ୍ୱାରା ସ୍ଥାନୀୟ ବ୍ୟବସାୟୀମାନେ ଦିନକୁ ୧୦ କୋଟି ଟଙ୍କା ହରାଉଛନ୍ତି। ଚମନ ପାକିସ୍ଥାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଥିବା ଦୁଇଟି ମୁଖ୍ୟ ସୀମା କ୍ରସିଂ ଭିତରେ ଗୋଟିଏ। ସେହିପରି ଅନ୍ୟ କ୍ରସିଂ ଉତ୍ତରରେ ତୋରଖମ୍‌ରେ ରହିଛି।

Share