ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା, ୧୦୩୫ ମୃତ, ୧୧୦ ଜିଲା ପ୍ରଭାବିତ, କୋଟି କୋଟି ଟଙ୍କା କ୍ଷତି

ଇସଲାମାବାଦ,୨୯ ।୮: ପାକିସ୍ତାନରେ ଗୋଟିଏ ପରେ ଗୋଟିଏ ସମସ୍ୟା ଲାଗି ରହିଛି । ପ୍ରଥମେ ରାଜନୈତିକ ସଙ୍କଟ ପରେ ଆର୍ଥିକ ସଙ୍କଟ ଆଉ ଏବେ ବନ୍ୟା ସଙ୍କଟ । ପାକିସ୍ତାନବାସୀ ଏମିତି ସବୁ ସମସ୍ୟା ଦେଇ ଗତି କରି ଚାଲିଛନ୍ତି । କିଛିଦିନ ହେବ ଲଗାଣ ବର୍ଷା ପାକିସ୍ତାନର ସ୍ଥିତିକୁ ବିଗାଡି ଦେଇଛି । ଲଗାଣ ବର୍ଷା ଓ ବନ୍ୟା ଫଳରେ ପଡୋଶୀ ଦେଶ ପାକିସ୍ତାନରେ ୧୦୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ୩ କୋଟିରୁ ଅଧିକ ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି । ସେହିପରି ୧୦ ଲକ୍ଷରୁ ଅଧିକ ଘର ପ୍ରଭାବିତ ହୋଇଛି ।
ଚଳିତ ବର୍ଷ ପାକିସ୍ତାନରେ ଆସିଥିବା ବନ୍ୟାରେ ଆର୍ଥିକ କ୍ଷତି ବି ବହୁତ ହୋଇଛି । ପାକିସ୍ତାନୀ ସମାଚାର ପତ୍ର ‘ଦ ଏକ୍ସପ୍ରେସ ଟ୍ରିବ୍ୟୁନ’ର ସୂଚନା ଅନୁଯାୟୀ, ଚଳିତ ବର୍ଷ ବନ୍ୟାରେ ପାକିସ୍ତାନରେ ପ୍ରାୟ ୪ ଅରବ ଡଲାର ଆର୍ଥିକ କ୍ଷତି ହେଲାଣି । ବନ୍ୟା ଯୋଗୁ ଅଧିକାଂଶ ଫସଲ ନଷ୍ଟ ହୋଇଯାଇଛି । ଏବେ ପର୍ଯ୍ୟନ୍ତ ପାକିସ୍ତାନରେ ୨.୬ ଅରବ ଡଲାର ମୂଲ୍ୟର କପା ଓ ୯୦ କୋଟି ଡଲାର ମୂଲ୍ୟର ଗହମ ଆମଦାନୀ କରିବାକୁ ପଡିପାରେ । କେବଳ ସେତିକି ନୁହେଁ ଫସଲ ନଷ୍ଟ ଯୋଗୁ ଅରବ ଡଲାରର ବସ୍ତ୍ର ରପ୍ତାନି ହରାଇବାକୁ ପଡିପାରେ । ପୂର୍ବରୁ ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ପାକିସ୍ତାନକୁ ଆହୁରି ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

Share