ମୁଁ ନରେନ୍ଦ୍ର ମୋଦି, ଆରଏସଏସକୁ କରେ ନାହିଁ ଭୟ: ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ଇସଲାମାବାଦ୍‌,୧୮।୧୨: ଜାତିସଂଘରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲୱାଲ ଭୁଟ୍ଟୋ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଭାରତରେ ତୀବ୍ର ବିରୋଧ କରାଯାଉଛି। ଏସବୁ ମଧ୍ୟରେ ବିଲାୱାଲ ନିଜ ମନ୍ତବ୍ୟକୁ ନେଇ ଆଦୌ ପଶ୍ଚାତାପ କରୁନାହାନ୍ତି। ସେ କହିଛନ୍ତି, ମୁଁ ନରେନ୍ଦ୍ର ମୋଦି ଏବଂ ଆରଏସଏସକୁ ଭୟ କରେ ନାହିଁ। ମୋଦିଙ୍କ ବିଷୟରେ ଯାହା କହିଛି ତାହା ଇତିହାସ ଉପରେ ଆଧାରିତ ଏବଂ ତାଙ୍କ ବିରୋଧରେ ବ୍ୟବହୃତ ଶବ୍ଦ ତାଙ୍କ ସୃଷ୍ଟି ନୁହେଁ ବରଂ ଭାରତୀୟ ଗଣମାଧ୍ୟମ ଦ୍ୱାରା ଉଦ୍ଭାବିତ ହୋଇଛି। ଗୁଜରାଟରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ ଭୂମିକା ନିର୍ବାହ କରିଛନ୍ତି, ଇତିହାସ ସାକ୍ଷୀ ଅଛି। ଭାଜପା ଏବଂ ଆରଏସଏସ ଯେତେ ବିରୋଧ କଲେ ମଧ୍ୟ ସେମାନେ ଇତିହାସ ଲିଭାଇ ପାରିବେ ନାହିଁ।
ସୂଚନାଯୋଗ୍ୟ, ମୋଦିଙ୍କ ବିରୋଧରେ ଅତି କଟୁ ମନ୍ତବ୍ୟ ନେଇ ବିଲୱାଲ ଭୁଟ୍ଟୋ କହିଥିଲେ ଯେ, ମୁଁ ଭାରତକୁ କହିବାକୁ ଚାହେଁ ଓସମା ବିନ ଲାଦେନ ମରିଛନ୍ତି, କିନ୍ତୁ ଗୁଜରାଟର କଂସେଇ ବଞ୍ଚିଛନ୍ତି। ଆଉ ସେ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ହେଉଛନ୍ତି ଆରଏସଏସର ପ୍ରଧାନମନ୍ତ୍ରୀ ଏବଂ ଆରଏସଏସର ବୈଦେଶିକ ମନ୍ତ୍ରୀ। ମୋଦିଙ୍କ ବିରୋଧରେ ବିଲୱାଲ ଭୁଟ୍ଟୋଙ୍କ ବୟାନ ଏକ ଅଭଦ୍ରୋଚିତ ଗର୍ଜନର ନମୁନା ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଥିଲା।

Share