ବଢିଲା ଇମ୍ରାନଙ୍କ ଅଡୁଆ, ମେ ୯ ହିଂସା ମାମଲାରେ ପୁଣି ହେବେ ଗିରଫ

ଇସଲାମାବାଦ,୨୫।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଆଉ ଏକ ଝଟକା ଲାଗିଛି। ପାକିସ୍ତାନର ଏକ କୋର୍ଟ ମେ ୯ରେ ଲାହୋର କୋର କମାଣ୍ଡରଙ୍କ ଘରେ(ଜିନ୍ନା ହାଉସ)ରେ ଭଙ୍ଗାରୁଜା ମାମଲାରେ ଜେଲରେ ବନ୍ଦ ଥିବା ଇମ୍ରାନଙ୍କୁ ଗିରଫ କରିବା ଓ ମାମଲାର ଯାଞ୍ଚ କରିବାକୁ ପୋଲିସକୁ ଅନୁମତି ଦେଇଛନ୍ତି।
ପାକିସ୍ତାନ ତେହରିକ-ଏ-ଇନସାଫ(ପିଟିଆଇ)ର ୭୦ ବର୍ଷିୟ ଅଧ୍ୟକ୍ଷ ଇମ୍ରାନଙ୍କୁ ଚଳିତ ମାସ ଆରମ୍ଭରେ ତୋଶାଖାନା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରାଯିବା ପରେ ପଞ୍ଜାବ ଅଞ୍ଚଳର ଅଟକ ଜିଲା ଜେଲରେ ବନ୍ଦୀ ଭାବେ ରଖାଯାଇଛି।

ଏକ୍ସପ୍ରେସ ଟ୍ରିବ୍ୟୁନ ଖବରକାଗଜ ଗୁରୁବାର ରିପୋର୍ଟ କରିଛି ଯେ ଲାହୋର ପୋଲିସ ଦେଇଥିବା ଏକ ଆବେଦନର ଜବାବରେ ଆତଙ୍କବାଦ ନିରୋଧୀ କୋର୍ଟ (ଏଟିସି) ମେ ୯ ଜିନ୍ନା ହାଉସ ଭଙ୍ଗାରୁଜା ଘଟଣାରେ ଇମ୍ରାନ ଖାନଙ୍କୁ ଗିରଫ ଏବଂ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। । ଜିନ୍ନା ହାଉସ ଅଗ୍ନିକାଣ୍ଡ ଘଟଣାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଁଙ୍କ ସମ୍ପୃକ୍ତି ଥିବା ଘଟଣାର ତଦନ୍ତ ଏବଂ ଗିରଫ କରିବାର ଆବଶ୍ୟକତା ପୋଲିସ ଦର୍ଶାଇଛି।

Share