Categories: ଜାତୀୟ

ଭାରତକୁ ନେଇ ମହାଭାରତ: ଇଣ୍ଡିଆ ନାମରେ ଜିନ୍ନା କରିଥିଲେ ଆପତ୍ତି

ନୂଆଦିଲ୍ଲୀ,୬।୯: ଜି -୨୦ ସମ୍ମିଳନୀକୁ ରାଜଧାନୀ ନୂଆଦିଲ୍ଲୀରେ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜଧାନୀକୁ ନୂଆ ରୂପରେ ସଜେଇବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏହି ସମ୍ମିଳନୀରେ ୩୦ଟି ଦେଶର ପ୍ରତିନିଧୀ ଅଂଶଗ୍ରହଣ କରିବେ। କିନ୍ତୁ ଏହାର ଠିକ ପୂର୍ବରୁ ରାଷ୍ଟ୍ରପତିଙ୍କ ରାତ୍ରୀ ଭୋଜନ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ ପ୍ରସଙ୍ଗ ଜାତୀୟ ରାଜନୀତିରେ ଆଲୋଡନ ସୃଷ୍ଟି କରିଛି। ତେବେ ଏନେଇ ବିରୋଧୀ କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛି।

କଂଗ୍ରେସ ନେତା ଶଶି ଥରୁର ଏହି ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ଜି-୨୦ର ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ ବଦଳରେ ଭାରତ ଲେଖିବାରେ କୌଣସି ସାମ୍ବିଧାନିକ ଆପତ୍ତି ନାହିଁ। କିନ୍ତୁ ଆଶା କରୁଛି ଯେ, ସରକାର ଏତେ ମୂର୍ଖ ହେବେ ନାହିଁ ଯେ ଦେଶର ନାମରେ ଯେଉଁ ବ୍ରାଣ୍ଡ ଭ୍ୟାଲୁ ଅଛି ତାହାକୁ ହଟାଇ ଦେବେ।

କେରଳର କଂଗ୍ରେସ ଏମପି ଶଶି ଥରୁର ଏହା ମଧ୍ୟ ଦାବି କରିଛନ୍ତି ଯେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ମହମ୍ମଦ ଅଲି ଜିନ୍ନାଙ୍କୁ ବି ଇଣ୍ଡିଆ ନାମରେ ଆପତ୍ତି ଥିଳା। କାରଣ ଏହା ଆମକୁ ବ୍ରିଟିଶ ରାଜର ଉତ୍ତରାଧିକାରୀ ଦେଶ ଏବଂ ପାକିସ୍ତାନକୁ ଏକ ଅଲଗା ଦେଶ ବୋଲି ଦର୍ଶାଉଥିଲା। ସିଏଏ ପରି ଭାଜପା ସରକାର ଜିନ୍ନାଙ୍କ ଦୃଷ୍ଟିକୋଣକୁ ମଧ୍ୟ ସମର୍ଥନ କରନ୍ତି ବୋଲି ଜଣାପଡୁଛି।

ଥରୁର୍‌ ଏକ୍ସ(ପୂର୍ବ ଟ୍ବିଟର)ରେ ପୋଷ୍ଟ କରି କହିଛନ୍ତିି, ଦେଶର ଦୁଇଟି ସରକାରୀ ନାମ ମଧ୍ୟରୁ ଇଣ୍ଡିଆକୁ ‘ଭାରତ ’ବୋଲି କହିବାରେ କୌଣସି ସାମ୍ବିଧାନିକ ଆପତ୍ତି ନାହିଁ। ମୁଁ ଆଶା କରୁଛି ଯେ ଶତାବ୍ଦୀ ଧରି ଏକ ବୃହତ ବ୍ରାଣ୍ଡ ଭ୍ୟାଲୁ ଥିବା ‘ଇଣ୍ଡିଆ’ ନାମକୁ ସମ୍ପୂର୍ଣ୍ଣ ରୂପେ ହଟାଇବା ପାଇଁ ସରକାର ଏତେ ମୂର୍ଖ ହେବେ ନାହିଁ। ସର୍ବଭାରତୀୟ ସ୍ତରରେ ଏପରି ବିବାଦ ଠାରୁ ଦୂରରେ ରହି ଆମେ ଉଭୟ ନାମକୁ ବ୍ୟବହାର ଜାରି ରଖିବା ଉଚିତ୍‌।

Share