Categories: ଖେଳ

ପାକିସ୍ତାନକୁ ଲାଗିଲା ୪୪୦ ଭୋଲ୍ଟର ଝଟ୍‌କା: ଆଇସିସି ପ୍ରସ୍ତୁତ କରୁଛି ପ୍ଲାନ୍‌-ବି

ନୂଆଦିଲ୍ଲୀ,୪।୮: ଚାମ୍ପିଅନ୍ସ ଟ୍ରଫି ୨୦୨୫ ୧୯ ଫେବୃଆରୀରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ପାକିସ୍ତାନ ଦ୍ୱାରା ଆୟୋଜିତ ହେବ। ଭାରତୀୟ ଦଳ ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଯଦିଓ ବିସିସିଆଇ ଆନୁଷ୍ଠାନିକ ଭାବେ ଏହି ବିଷୟରେ ସ୍ପଷ୍ଟ କରିନାହିଁ, କିନ୍ତୁ ମିଡିଆ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଗସ୍ତରେ ଯିବାକୁ ଟିମ ଇଣ୍ଡିଆର ମୁଡ୍‌ ନାହିଁ। ବର୍ତ୍ତମାନ ଆଇସିସି ପାକିସ୍ତାନକୁ ୪୪୦ ଭୋଲ୍ଟର ଝଟକା ଦେଇ ଟୁର୍ନାମେଣ୍ଟ ପାଇଁ ପ୍ଲାନ-ବି ପ୍ରସ୍ତୁତ କରିଛି।
କଲମ୍ବୋରେ ଅନୁଷ୍ଠିତ ବାର୍ଷିକ ସାଧାରଣ ସଭା (ଏଜିଏମ)ରେ ଚାମ୍ପିଅନ୍ସ ଟ୍ରଫି ପାଇଁ ଆଇସିସି ପ୍ରାୟ ୬୫ ମିଲିୟନ ଡଲାରର ବଜେଟ ଅନୁମୋଦନ କରିଛି। ଏହି ବଜେଟରେ, ଆଇସିସି ସେହି ସବୁ ଦିଗକୁ ଦେଖି ପ୍ରସ୍ତୁତ, କରିଛି ଯାହା ବର୍ତ୍ତମାନ ଆଲୋଚନା ହେଉଛି। ଉଦାହରଣ ସ୍ବରୂପ, ଆଇସିସି ବଜେଟ ପ୍ରକାଶ କରିଛି ଯେ ଯଦି ଭାରତ ଏହି ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରେ ନାହିଁ, ତେବେ ପାକିସ୍ତାନ ବାହାରେ ମଧ୍ୟ କିଛି ମ୍ୟାଚ ଆୟୋଜିତ ହୋଇପାରିବ।
ଏହିପରି ଏହାର ପ୍ଲାନ ବି ସହିତ ଆଇସିସି ପାକିସ୍ତାନକୁ ୪୪୦ ଭୋଲ୍ଟର ଏକ ଝଟ୍‌କା ଦେଇଛି। ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ, କିନ୍ତୁ ପାକିସ୍ତାନ ଭାରତକୁ ଦୃଷ୍ଟିରେ ରଖି ଟୁର୍ନାମେଣ୍ଟ ପାଇଁ ଡ୍ରାଫ୍ଟ ସୂଚୀ ପ୍ରସ୍ତୁତ କରିଛି। ଡ୍ରାଫ୍ଟ କାର୍ଯ୍ୟସୂଚୀ ଅନୁଯାୟୀ, ଲାହୋରରେ ଟିମ ଇଣ୍ଡିଆର ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ। ପାକିସ୍ତାନ, ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ସହିତ ଟିମ ଇଣ୍ଡିଆକୁ ଗ୍ରୁପ-୧ରେ ସ୍ଥାନିତ କରାଯାଇଛି।
ସୂଚନାଯୋଗ୍ୟ ଯେ, ୨୦୨୩ରେ ଖେଳାଯାଇଥିବା ଏସିଆ କପ ଆୟୋଜନ କରିବାର ପାକିସ୍ତାନକୁ ମଧ୍ୟ ସୁଯୋଗ ମିଳିଥିଲା, କିନ୍ତୁ ଟୁର୍ନାମେଣ୍ଟ ପାଇଁ ଟିମ ଇଣ୍ଡିଆ ପାକିସ୍ତାନ ଗସ୍ତ କରି ନ ଥିଲା। ଭାରତୀୟ ଦଳ ବିପକ୍ଷରେ ମ୍ୟାଚ ହାଇବ୍ରିଡ ମଡେଲ ଅଧୀନରେ ଶ୍ରୀଲଙ୍କାରେ ଖେଳାଯାଇଥିଲା। ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫି ସମ୍ବନ୍ଧରେ ଚୂଡ଼ାନ୍ତ ନିଷ୍ପତ୍ତି କ’ଣ ତାହା ଦେଖିବାକୁ ଆକର୍ଷଣୀୟ ହେବ।

Share