ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଲିଟର ପିଛା ୩୩୧ଟଙ୍କାରେ ବିକ୍ରି ହେଉଛି ପେଟ୍ରୋଲ

ଇସଲାମବାଦ,୧୬।୯: ପଡୋଶୀ ଦେଶ ପାକିସ୍ତାନର ଅର୍ଥନୈତିକ ସ୍ଥିତି ଭୁଶୁଡିବାରେ ଲାଗିଛି। ଏହି ସମୟରେ ପେଟ୍ରୋଲ ଏବଂ ଡିଜେଲର ଦର ପୁଣି ବୃଦ୍ଧି ପାଇଛି। ଦେଶରେ ପେଟ୍ରୋଲ ଦର ୨୬.୦୨ଟଙ୍କା ବୃଦ୍ଧି ପାଇ ଲିଟର ପିଛା ୩୩୧.୩୮ ଟଙ୍କାରେ ପହଞ୍ଚିଛି।

ସେହିପରି ଡିଜେଲ ଦର ୧୭.୩୪ଟଙ୍କା ବୃଦ୍ଧି ପାଇ ଲିଟର ପିଛା ୩୨୯.୧୮ଟଙ୍କା ହୋଇଛି। ଗତ ସପ୍ତାହରେ ଅର୍ଥନୈତିକ ସମନ୍ବୟ କମିଟି (ଇସିସି) ପେଟ୍ରୋଲିୟମ ଡିଲର ଏବଂ ତୈଳ ମାର୍କେଟିଂ କମ୍ପାନୀ (ଓଏମସି)ର ମାର୍ଜିନ ବୃଦ୍ଧି କରିବାକୁ ଅନୁମୋଦନ କରିଥିଲା।
ଚଳିତ ମାସ ଆରମ୍ଭରେ କାର୍ଯ୍ୟକାରୀ ଅର୍ଥମନ୍ତ୍ରୀ ଶ୍ୟାମସାଦ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଇସିସି ଅଧିବେଶନରେ ଏହି ନିଷ୍ପତ୍ତି ନିଆଯାଇଛି। କମିଟି ଓଏମସି ଏବଂ ଡିଲରମାନଙ୍କ ପାଇଁ ପେଟ୍ରୋଲ ଏବଂ ଡିଜେଲ ବିକ୍ରି ମାର୍ଜିନ ବୃଦ୍ଧିକୁ ଅନୁମୋଦନ କରିଛି। ସୂଚନାଯୋଗ୍ୟ, ବିଶ୍ୱରେ ବିଭିନ୍ନ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଉଥିବାରୁ ସରକାର ପେଟ୍ରୋଲିୟମ ମୂଲ୍ୟ ବୃଦ୍ଧି କରୁଛନ୍ତି ବୋଲି ପାକିସ୍ତାନ ସରକାର କହିଥିଲେ।

Share