ଇମ୍ରାନ ଖାଁଙ୍କ ସମ୍ପର୍କିତ ଖବର ପ୍ରସାରରେ ପ୍ରତିବନ୍ଧକ ଲଗାଇଲେ ପାକିସ୍ତାନ ସରକାର

ଇସଲାମାବାଦ,୨୧ ।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମସ୍ୟା ବେଳକୁ ବେଳ ବଢିବାରେ ଲାଗିଛି । ଶହବାଜ ସରକାରଙ୍କୁ ଟାର୍ଗେଟ କରିଥିବା ଇମ୍ରାନଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି । କୁହାଯାଉଛି କି ପାକିସ୍ତାନ ସରକାର ଇମ୍ରାନଙ୍କ ସମ୍ପର୍କିତ କୌଣସି ଖବର ଟେଲିଭିଜନ ଚ୍ୟାନେଲରେ ପ୍ରସାର କରିବାକୁ ପ୍ରତିବନ୍ଧକ ଲାଗାଇ ଦିଆଯାଇଛି । ସମସ୍ତ ଚ୍ୟାନେଲକୁ ନିର୍ଦ୍ଦେଶ ଦିଆଯାଇଛି କି ଇମ୍ରାନ ଖାଁଙ୍କ କୌଣସି ସାକ୍ଷାତକାର ଅବା କୌଣସି ବୟାନର ଲାଇଭ ଟେଲିକାଷ୍ଟ ବା ବ୍ରଡକାଷ୍ଟ କରାଯିବ ନାହିଁ । ଏହାର ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
କୁହାଯାଉଛି କି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରିବାକୁ ଯୋଜନା କରାଯାଉଛି । ଇମ୍ରାନଙ୍କୁ ଦେଶର ଶୀର୍ଷ ଯାଞ୍ଚ ଏଜେନ୍ସି ସାମ୍ନାରେ ହାଜର ନ ହେବା ଓ ଅବୈଧ ଫଣ୍ଡିଂ ମାମଲାରେ ନୋଟିସର ଜବାବ ନ ଦେବା ମାମଲାରେ ଗିରଫ କରାଯାଇପାରେ ବୋଲି ଅନୁମାନ କରାଯାଉଛି । ପାକିସ୍ତାନର ଦୈନିକ ଖବର କାଗଜ ଦ ନ୍ୟୁଜର ରିପୋର୍ଟ ଅନୁଯାୟୀ, ସଂଘିୟ ଯାଞ୍ଚ ଏଜେନ୍ସି(ଏଫଆଇଏ) ଏ ସମ୍ପର୍କରେ ଶୁକ୍ରବାର ଇମ୍ରାନ ଖାଁଙ୍କୁ ଦ୍ୱିତୀୟ ନୋଟିସ ଜାରି କରିଛି । ରିପୋର୍ଟ ଅନୁଯାୟୀ, ପୂର୍ବ ବୁଧବାର ଇମ୍ରାନଙ୍କୁ ପ୍ରଥମ ନୋଟିସ ଦିଆଯାଇଥିଲା ।

Share