୨୦୨୫ସୁଦ୍ଧା ପାକିସ୍ତାନର ପରମାଣୁ ବୋମା ସଂଖ୍ୟା ୨୦୦ଟପିବ, ଆମେରିକା ବୈଜ୍ଞାନିକଙ୍କ ଦାବି

ଇସଲାମବାଦ,୧୫।୯: ପଡୋଶୀ ଦେଶ ପାକିସ୍ତାନ ପାଖରେ ରହିଛି ୧୭୦ଟି ପରମାଣୁ ବୋମା ଯାହା ୨୦୨୫ ସୁଦ୍ଧା ୨୦୦ଟପିବ ବୋଲି ଆଶଙ୍କା କରାଯାଉଛି। ଏସମ୍ପର୍କରେ ‘ବୁଲେଟିନ ଅଫ୍‌ ଦ ଆଟୋମିକ ସାଇଣ୍ଟିଷ୍ଟ’ରେ ପ୍ରକାଶିତ ‘ନ୍ୟୁକ୍ଲିଅର ନୋଟବୁକ୍‌’ ସ୍ତମ୍ଭରେ ୧୧ସେପ୍ଟେମ୍ବରରେ ଆଲେଖ୍ୟ ପ୍ରକାଶ ପାଇଛି। ତେବେ ଏହାକୁ ଆମେରିକୀୟ ବୈଜ୍ଞାନିକମାନେ ମଧ୍ୟ ସମର୍ଥନ କରିଛନ୍ତି। ଆମେରିକାର ପ୍ରତିରକ୍ଷା ଇଣ୍ଟେଲିଜେନ୍ସ ଏଜେନ୍ସି ୧୯୯୯ରେ ଆକଳନ କରିଥିଲା ଯେ, ୨୦୨୦ ସୁଦ୍ଧା ପାକିସ୍ତାନରେ ପାଖରେ ୬୦ରୁ ୮୦ଟି ଯୁଦ୍ଧ ଅସ୍ତ୍ରଶସ୍ତ୍ର ଥିବ। କିନ୍ତୁ ଆମେରିକାର ଅନୁମାନ ଭୁଲ ପ୍ରମାଣିତ ହୋଇଛି। କାରଣ ପାକିସ୍ତାନ ନୂଆ ଅସ୍ତ୍ର ପ୍ରଣାଳୀ ପ୍ରୟୋଗ କରି ଅସ୍ତ୍ରଶସ୍ତ୍ର ସହ ପରମାଣୁ ବୋମା ମଧ୍ୟ ପ୍ରସ୍ତୁତ କରିଛି। ବର୍ତ୍ତମାନ ତାହା ୧୭୦କୁ ବୃଦ୍ଧି ପାଇଛି।

ଫେଡେରେସନ ଅଫ ଆମେରିକୀୟ ସାଇଣ୍ଟିଷ୍ଟ ପରମାଣୁ ସୂଚନା ପ୍ରକଳ୍ପ ନିର୍ଦ୍ଦେଶକ ହାନ୍ସ ଏମ ଖ୍ରୀଷ୍ଟସେନ, ସିନିୟର ରିସର୍ଚ୍ଚ ଫେଲୋ ମ୍ୟାଟ କୋରଦା ଓ ରିସର୍ଚ୍ଚ ଆସୋସିଏଟ ଏଲିନା ଜନ୍ସଙ୍କ ଦ୍ୱାରା ଅନୁସନ୍ଧାନ କରାଯାଇ ନ୍ୟୁକ୍ଲିଅର ନୋଟବୁକରେ ଏହି ଆଲେଖ୍ୟ ପ୍ରକାଶିତ ହୋଇଛି। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ପାକିସ୍ତାନ ବର୍ତ୍ତମାନ ବର୍ଷକୁ ୧୪ ରୁ ୨୭ଟି ନୂଆ ଅସ୍ତ୍ରଶସ୍ତ୍ର ତିଆରି କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପଦାର୍ଥ ଉତ୍ପାଦନ କରୁଛି।

ସୂଚନାଯୋଗ୍ୟ, ୧୯୮୭ ପରଠାରୁ ନ୍ୟୁକ୍ଲିଅର ନୋଟବୁକ୍‌ ସ୍ତମ୍ଭରେ ପରମାଣୁ ବୈଜ୍ଞାନିକମାନଙ୍କ ଦ୍ୱାରା ଆଲେଖ୍ୟ ପ୍ରକାଶିତ ହେଉଛି। ଏହି ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ପରମାଣୁ ବୋମା ସମ୍ପର୍କରେ ପାକିସ୍ତାନ ଭଳି ଅନ୍ୟ ଦେଶ ମଧ୍ୟ ସୂଚନା ପ୍ରଦାନ କରୁନାହାଁନ୍ତି।

Share