Categories: ଖେଳ

ଟସ୍‌ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି: ଦୃଢ ପେସ୍‌ ବୋଲିଂ ଆଗରେ ବାବରଙ୍କ ପ୍ରଦର୍ଶନ ଉପରେ ରହିବ ନଜର

ବେଙ୍ଗାଲୁରୁ,୨୦ା୧୦: ବଙ୍ଗାଲୁରୁର ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ବିଶ୍ୱକପ୍‌ର ୧୮ତମ ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଆମନ୍ତ୍ରଣ ପାଇ ଅଷ୍ଟ୍ରେଲିଆ ବ୍ୟାଟିଂ କରିବ।

ଅଷ୍ଟ୍ରେଲିଆ ଦୁଇଟି ପରାଜୟ ପରେ ବିଜୟ ଧାରାକୁ ଫେରିଥିବା ବେଳେ ପାକିସ୍ତାନ ମଧ୍ୟ ବିଜୟ ସହ ଆଗକୁ ଯିବାକୁ ଲକ୍ଷ୍ୟ ରଖିଛି। ସେହିପରି ଉଭୟ ଦଳ ମଧ୍ୟରେ ଦିନିକିଆ ପ୍ରଦର୍ଶନକୁ ଧ୍ୟାନରେ ରଖିଲେ ଅଷ୍ଟ୍ରେଲିଆ ଆଗୁଆ ରହିବ। ପାକିସ୍ତାନ ବିପକ୍ଷରେ ଦଳର ବିଜୟ ରେକର୍ଡ ୬୯-୩୪ ରହିଥିବା ବେଳେ ଦିନିକିଆ ବିଶ୍ୱକପ୍‌ରେ ଏହି ରେକର୍ଡ ୬-୪ ରହିଛି। ପାକିସ୍ତାନ ଦଳର ଟପ୍‌ ଅର୍ଡର ବର୍ତ୍ତମାନ ସୁଦ୍ଧା କ୍ଲିକ୍‌ କରିନାହିଁ। ଫାଖର ଜମାନ ବାଦ୍‌ ପଡିଥିବା ବେଳେ ଇମାମ୍‌ ଉଲ ହକ୍‌ ୩ ମ୍ୟାଚ୍‌ରୁ ମାତ୍ର ୬୩ ରନ୍‌ ସଂଗ୍ରହ କରିଛନ୍ତି। ଅନ୍ୟତମ ଓପନର ଅବଦୁଲ୍ଲା ଶଫିକ୍‌ ଗୋଟିଏ ଶତକ ହାସଲ କରିଥିବା ବେଳେ ତାଙ୍କୁ ଇମାମଙ୍କ ସହାୟତା ଆବଶ୍ୟକ। ସେହିପରି ପାକିସ୍ତାନ ବ୍ୟାଟିଂ ଲାଇନଅପ୍‌ର ମେରୁଦଣ୍ଡ ଥିବା ବାବର ଆଜମଙ୍କ ବ୍ୟାଟ ଚଳିତ ଟୁର୍ନାମେଣ୍ଟରେ ନୀରବ ରହିଛି। ଭାରତ ବିପକ୍ଷରେ ଏକ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ବାବର ନେଦରଲାଣ୍ଡ୍ସ ଓ ଶ୍ରୀଲଙ୍କା ବିପକ୍ଷରେ ବିଫଳ ହୋଇଥିଲେ। ଅଷ୍ଟ୍ରେଲିଆର ଦୃଢ ପେସ୍‌ ବୋଲିଂ ଲାଇନଅପ୍‌ ବିପକ୍ଷରେ ବାବର କିଭଳି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ।

Share